କନକବ୍ୟୁରୋ : କଫି ପରେ କୋରାପୁଟ କୁ ପରିଚୟ ଦେଇଛି ଷ୍ଟ୍ରବେରୀ ଚାଷ ।  ଚାରିଆଡ଼େ ପାହାଡ଼, ମଝିରେ ରହିଛି କିଛି ସମତଳ ସ୍ଥାନ ।  ଯେଉଁଠି ଦିନେ ମାଣ୍ଡିଆ ଚାଷ ବିନା ଅନ୍ୟ କୌଣସି ଫସଲ ହେବା କଷ୍ଟକର ଥିଲା ସେହି ସ୍ଥାନରେ ଆଜି ଫଳିଛି ଏହି ଦାମିକିଆ ଫଳ  ।   କୋରାପୁଟ ଜିଲ୍ଳାର କାଉଗୁଡ଼ା ଗାଁରେ ଚାଷୀଙ୍କ ଆଶାର ଆଲୋକ ପାଲଟିଛି ଷ୍ଟ୍ରବେରୀ ଚାଷ  । 

Advertisment

୩  ମାସ ହେଲା ଏହି ଚାଷ ପାଇଁ ଚାଷୀ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ।   ଯାହାର ଫଳ ସ୍ବରୁପ ଏବେ କ୍ଷେତରେ ହସୁଛି ନାଲିଆ ଫଳ ।  ଗାଁ ଲୋକମାନେ ସମସ୍ତେ ମିଶି ଫସଲ ଅମଳ କରିବାରେ ବ୍ୟସ୍ତ ।   ଗୋଟି ଗୋଟି କରି ଗଛରୁ ଷ୍ଟ୍ରବେରି ତୋଳିବା ପରେ ଗଦା କରୁଛନ୍ତି ଚାଷୀ  ।  ପରେ ଓଜନ କରି ଛୋଟ ଛୋଟ ପ୍ୟାକେଟ କରି ବଜାରକୁ ବିକ୍ରୀ ପାଇଁ ପଠାଉଛନ୍ତି । ଗାଁର ପ୍ରାୟ ୩୦ରୁ ଅଧିକ ଚାଷୀ ୨୫ ଏକର ଜମିରେ ଏହି ଚାଷ କରିଛନ୍ତି  ।  

ଅନ୍ୟ ଫସଲ ଅପେକ୍ଷା ଏହିଥିରୁ ଅଧିକା ଲାଭ ମିଳୁଥିବାରୁ ଚାଷୀ ମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି  ।  ପୁର୍ବରୁ କୋଟିଆରେ ପରୀକ୍ଷାମୂଳକ ଭାବେ ଏହି ଫସଲ ଆରମ୍ଭ କରିଥିଲା ପ୍ରଶାସନ  । ସଫଳ ହେବାରୁ ବର୍ତ୍ତମାନ କୋରାପୁଟ ଜିଲ୍ଳାରେ ୮୦ ଏକର ଜାଗାରେ ଏହି ଚାଷ ହୋଇଛି ।  ଉନ୍ନତ ପ୍ରଣାଳୀରେ ଚାଷ କରିବା ପାଇଁ ସହାୟତା ଯୋଗାଇଛି ପ୍ରଶାସନ । ବିକ୍ରି ବଟାର ଦାୟିତ୍ୱ ନେଇଛି ସିୱାଇଏସଡ଼ି । ଅନ୍ୟ ଫସଲ ଅପେକ୍ଷା ଏହି ଚାଷରୁ ଅଧିକା ଲାଭ ମିଳୁଥିବାରୁ ଏବେ ଆଦିବାସୀ ଅଚଂଳର ସମସ୍ତ ଚାଷୀ ପାରମ୍ପରିକ ଚାଷ ଛାଡ଼ି ଏହି ଚାଷକୁ ଆପଣାଇଛନ୍ତି ।

ଜୈବିକ ପଦ୍ଧତିରେ ଏଠାରେ ଚାଷ କରାଯାଇଥିବାରୁ କିଲୋ ପିଛା ୪୦୦ ରୁ ୫୦୦ ରେ ବିକ୍ରୀ କରି ଚାଷୀ ଲାଭପାଉଛନ୍ତି । ଏଥିପାଇଁ  କୋରାପୁଟରେ ସ୍ୱତନ୍ତ୍ର ଷ୍ଟଲରେ ବିକ୍ରି କରାଯାଉଛି । ଆଗକୁ ଏହାର ଜାମ ଓ ଜୁସ ତିଆରି କରି ବଜାରରେ ବିକ୍ରୀ କରାଯିବ ବୋଲି  କୋରାପୁଟ ଜିଲ୍ଳାପାଳ କହିଛନ୍ତି । କମ୍ ଦିନରେ ଏହି ଚାଷ ଭଲ ଅମଳ ଓ ଭଲ ରୋଜଗାର ଦେଉଥିବାରୁ ଅନ୍ୟ ଚାଷ ଅପେକ୍ଷା ଏହି ଚାଷ କରି ଲାଭବାନ ହୋଇପାରିବେ ଚାଷୀ । 

ସେପଟେ ଇଂଜିନିୟର ଚାକିରିରୁ ଅବସର ନେବା ପରେ ପ୍ରଥମେ ବନ୍ଧୁତା । ଆଉ ତା’ପରେ ୟୁଟ୍ୟୁବ୍ ଦେଖି ରୋଜଗାର । ବିଦେଶୀ ଫଳ ଚାଷ ପ୍ରତି ବଢୁଛି ଓଡିଶା ଚାଷୀଙ୍କ ଆଗ୍ରହ  ।  ଧାଡି ଧାଡି ହୋଇ ଲାଗିଥିବା ଗଛରେ ପେନ୍ଥା ପେନ୍ଥା ଫଳିଛି ନାଲି ଟହଟହ ଷ୍ଟ୍ରବେରୀ । ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସ୍ୱାଦିଷ୍ଟ । ତେବେ ଓଡିଶା ତଥା ସୋର ମାଟିରେ ଫଳିଛି ବିଦେଶୀ ଫଳ ଷ୍ଟ୍ରବେରୀ ।  ଯାହା ଦିନେ ସ୍ବପ୍ନଥିଲା ତାହା ଆଜି ସଫଳ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବ୍ରହ୍ମପୁର ଗାଁର ଚାଷୀ କାଳନ୍ଦୀ ଚରଣ ଲେଙ୍କା । କାଳନ୍ଦୀ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିବା ବେଳେ ଚାଷ ପ୍ରତି ପିଲାଟି ଦିନରୁ ଆଗ୍ରହ ରହିଥିଲା  ।

ଚାକିରୀରୁ ଅବସର ନେବା ପରେ ଏକ ନର୍ସରୀ କରି ବିଭିନ୍ନ ପ୍ରଜାତିର ଫୁଲ ଏବଂ ଫଳ ଗଛ ବିକ୍ରି କରୁଥିବା ବେଳେ ପୂର୍ଵ ବର୍ଷ ୨୫ଟି ଷ୍ଟ୍ରବେରୀ ଗଛକୁ ପରୀକ୍ଷା ମୂଳକ ଭାବରେ ଲଗାଇ ସଫଳତା ପାଇଥିଲେ । ଚଳିତ ବର୍ଷ ୫୦ ଡ଼ିସିମିଲ ଜମିରେ ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ସୋର ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ପରାମର୍ଶ କ୍ରମେ ଅନ୍ୟ ଜଣେ ବନ୍ଧୁଙ୍କ ସହ ମିସି ୫୦ ଡ଼ିସିମିଲି ଜମିରେ ଷ୍ଟ୍ରବେରୀ ଚାଷକରି ସଫଳ ହୋଇଛନ୍ତି କାଳନ୍ଦୀ ।  

ଷ୍ଟ୍ରବେରୀ ଚାରା ଲଗାଇବାର ଏକ ମାସରୁ ଦେଢ଼ ମାସ ଭିତରେ ଏଥିରେ ଫଳ ଫଳିଥାଏ । ଅକ୍ଟୋବରରୁ ଡିସେମ୍ବର ମାସରେ ହିଁ ଷ୍ଟ୍ରବେରୀ ଚାଷପାଇଁ ପ୍ରକୃଷ୍ଠ ସମୟ । ଏହା ସାଧାରଣତଃ ବାଲିଆ ମାଟି ଓ ଥଣ୍ଡାଳିଆ ପାଗରେ ଭଲ ହୋଇଥାଏ  l ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ତରଫରୁ ଡ୍ରିପ ଇରିଗେସନ ପାଇଁ ୭୦ ପ୍ରତିଶତ ରିହାତି ମିଳିଛି । ଯାହାଦ୍ବାରା ଏହି ଚାଷ କରିବା କାଳନ୍ଦୀଙ୍କ ପାଇଁ ସହାୟକ ହୋଇଛି ।  ଏହି ଚାଷ ଏକ ଲାଭଜନକ ଚାଷ ହୋଇଥିବା ବେଳେ ଅନ୍ୟ ଚାଷୀମାନଙ୍କୁ ଏହି ଚାଷ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଉଦ୍ୟାନ କୃଷି ଅଧିକାରୀ ।