କନକ ବ୍ୟୁରୋ : ଷ୍ଟ୍ରବେରି, କଫି, ମାଣ୍ଡିଆ ଓ ହଳଦୀ ପରେ କୋରାପୁଟରେ ସଫଳ ହୋଇଛି ଜାପାନୀ ପୁଦିନା ଚାଷ । ଆଦିବାସୀ ଅଞ୍ଚଳର ଲୋକଙ୍କ ଆର୍ଥିକ ବିକାଶ ପାଇଁ ଓରମାସ୍‌ ପକ୍ଷରୁ ସମସ୍ତ ସହଯୋଗ କରାଯାଉଛି । ନୂଆନୂଆ ଚାଷ ପ୍ରଣାଳୀ ବିଷୟରେ ସେମାନଙ୍କୁ ଅବଗତ କରାଯାଉଛି । ପରୀକ୍ଷାମୂଳକ ଭାବେ ଗତବର୍ଷ ପଟାଙ୍ଗୀରେ ୨ ଏକର ଜମିରେ ଜାପାନୀ ପୋଦିନା ଚାଷ କରାଯାଇଥିଲା । ସଫଳ ହେବାରୁ ଗୁଲୁର ପଞ୍ଚାୟତରେ ଏବର୍ଷ ୩୦ ଏକର ଜମିରେ ଚାଷ ହୋଇଛି । ଅଳ୍ପ ସମୟ ଓ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ହେଉଥିବାରୁ ଚାଷୀ ଏହାକୁ ପସନ୍ଦ କରୁଛନ୍ତି। । ଜାପାନୀ ପୁଦିନା ଗଛ ଦେଶୀ ପୁଦିନା ଗଛଠାରୁ ଅଳ୍ପ ବଡ଼ । 

Advertisment

କୋରାପୁଟ ଜିଲ୍ଲାର ଜଳବାୟୁ ଜାପାନୀ ପୁଦିନା ଚାଷ ପାଇଁ ବେଶ୍ ଅନୁକୂଳ । ରାସାୟନିକ ସାର ପ୍ରୟୋଗ ବିନା ଏହି ଚାଷ ହୋଇପାରୁଛି । ପାହାଡ଼ିଆ ଅଞ୍ଚଳରେ ମୂଳରେ ପାଣି ନଜମିଲେ ଏହି ଗଛ ଭଲ ବଢ଼ିଥାଏ । ଅନ୍ୟ ଫସଲ ଭଳି ଚାଷୀ ଜାପାନୀ ପୁଦିନା ଚାଷ କରୁଛନ୍ତି । ଅନ୍ୟ ଚାଷଠାରୁ ଅଧିକ ଲାଭ ମିଳୁଛି । ଏକର ପିଛା ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଲାଭ ୪୫ ହଜାର ଟଙ୍କାରୁ ଅଧିକ ମିଳୁଛି । ୫ ମାସ ଭିତରେ ହୋଇଥିବା ଏହି ଫସଲରେ ରୋଗ ପୋକ ଲାଗିନାହିଁ କି ଗାଈଗୋରୁ ଖାଇବାର ଭୟ ନାହିଁ ।  ବଜାର ଚାହିଦାକୁ ଦେଖି ଗୁଲୁର ପଞ୍ଚାୟତରେ ସ୍ଥାପନ କରାଯାଇଛି ତୈଳ ପ୍ରକ୍ରିୟାକରଣ ୟୁନିଟ୍‌ ।

ଜାପାନୀ ପୁଦିନା ତେଲରେ ଔଷଧୀୟ ଗୁଣ ରହିଛି । ଫାର୍ମାସୀ କମ୍ପାନି ଏହାକୁ କିଣି ନେଉଛନ୍ତି । ବିହାର, ଉତ୍ତର ପ୍ରଦେଶ, ପଞ୍ଜାବରେ ଏହି ଚାଷ ହେଉଥିବା ବେଳେ କୋରାପୁଟରେ ମଧ୍ୟ ଏହା ସଫଳ ହୋଇଛି । ନୂଆ ପ୍ରକାରର ଚାଷ ଦେଖିବା ପାଇଁ ବାହାର ଜିଲ୍ଲାର ଚାଷୀ ଆସୁଛନ୍ତି ।