କନକବ୍ୟୁରୋ : କନକନ୍ୟୁଜର ବଡ ପ୍ରଭାବ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ । ୫ଟି ଗାଡିରେ ୯ ଜଣି ଟିମ ପହଞ୍ଚିଛନ୍ତି । ଟିମ ସହ ଡିଡିଏମ୍ ଓ ରେଞ୍ଜର ମଧ୍ୟ ଉପସ୍ଥିତ ଅଛନ୍ତି । ଆଜି ଦିନ ତମାମ କୋଇଡ଼ାରେ ବହୁମୂଲ୍ୟ ମାଙ୍ଗାନିଜ ଲୁହାପଥର ଚୋରାଚାଲାଣର ତଦନ୍ତ କରିବ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । କୋଇଡାର ଗଣୁଆଁ , କେନାଭେଟା, ଗିଡେଇ, ମୁଟୁକୁଦର ପାଟମୁଣ୍ଡା ଅଞ୍ଚଳରେ ଦିନ ତମାମ ଖଣିଜ ଗଚ୍ଛିତ ରଖାଯାଇଥିବା ସ୍ଥାନ ବୁଲି ଦେଖିବେ ଟିମ ।
ବହୁ ଚର୍ଚ୍ଚିତ ତେଲେନଡିହି ବେଆଇନ୍ କୋଇଲା ଖଣିର ସରଜମିନ ତଦନ୍ତ ପରେ କୋଇଡ଼ାରେ ଖଣି ଚୋରିକୁ ନେଇ ବାରମ୍ୱାର ଖବର ଦେଖାଇଥିଲା କନକନ୍ୟୁଜ । ଖବର ପ୍ରସାରଣ ପରେ ଏବେ କୋଇଡ଼ାରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ଏନଫୋର୍ସମେଣ୍ଟ ଟିମ ।
ଏହି ଘଟଣା ପରେ ଖଣି ଚୋରି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି, ବିଭିନ୍ନ ସ୍ତରରେ ତଦନ୍ତ ଚାଲିଛି । ତଦନ୍ତରେ ପ୍ରମାଣ ଆସିଲେ ନିଆଯିବ ବଡ଼ କାର୍ଯ୍ୟାନୁଷ୍ଠାନ । ଏତେ ବର୍ଷ ହେବ ଖଣି ଚୋରି ଚାଲିଥିଲା । ପୂରା ଘଟଣାକୁ ସାମ୍ନାକୁ ଆଣିଥିବାରୁ କନକ ନ୍ୟୁଜକୁ ଧନ୍ୟବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ଜୁଏଲ ଆହୁରି କହିଛନ୍ତି, ସରକାର ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ । ଆବଶ୍ୟକ ପଡ଼ିଲେ ନିଜେ କୋଇଲା ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିବି ବୋଲି କହିଛନ୍ତି ଜୁଏଲ ଓରାମ ।