କନକ ବ୍ୟୁରୋ: ସକାଳୁ ସକାଳୁ ସମ୍ବଲପୁର-ଦେବଗଡ ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ । ସମ୍ବଲପୁର–ମାନେଶ୍ୱର ବାଇପାସ ରାସ୍ତାକୁ ସିନ୍ଦୁରପଙ୍କରେ ଅବରୋଧ କରିଥିଲେ । ପ୍ରାୟ ୫ ଘଣ୍ଟା ଧରି ହଜାର ହଜାର ଗାଡି ମଟର ରାସ୍ତାରେ ଅଟକି ରହିଥିଲା । ଟୋକନ ଥାଇ ମିଲର୍ସ ପାଖରେ ଟାର୍ଗେଟ ନଥିବାରୁ ଧାନ ବିକ୍ରି ବନ୍ଦ ହୋଇଯାଇଛି । ଫଳରେ  ଚାଷୀ ଆନ୍ଦୋଳନକୁ ଓହ୍ଲାଇଛି । ଏପରିକି ମିଲର୍ସ ପଏଣ୍ଟରେ ଧାନ ଲୋଡିଂ ଗାଡି ୪  ଦିନ ଲେଖାଏଁ ଅନଲୋଡିଂ ନହେବାରୁ ତାତିଛନ୍ତି ଚାଷୀ । ଅଦିନିଆ ବର୍ଷା ଯୋଗୁଁ ଖଳାରେ ଧାନ ଭିଜୁଥିବାରୁ ଜଲଦି ବିକ୍ରି ପାଇଁ ଜିଦ୍ ଧରିଛନ୍ତି । ଯୋଗାଣ ବିଭାଗ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି ।
 
ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ବି ତେଜିଛି ଆନ୍ଦୋଳନ । ଲଗାତାର ଭାବେ ଚାଷୀ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ବରଗଡର ମିଲର୍ସମାନେ ମଧ୍ୟ ସାଙ୍କେତିକ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଓ ଆସନ୍ତାକାଲି ଦୁଇଦିନ ମାର୍କେଟୟାର୍ଡରୁ ଧାନ ଉଠିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ମିଲର୍ସଙ୍କ ଅଭିଯୋଗ ହେଲା, ଦୁଇ ବର୍ଷ ହେଲା ଧାନ ଉଠାଯାଇଥିଲେ ବି ଜିଲ୍ଲା ପ୍ରଶାସନ ପାଖରୁ ବକେୟା ଟଙ୍କା ମିଳିନାହିଁ । ଏହାର ସମାଧାନ ନ ହେଲେ ୧୬ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।