କନକ ବ୍ୟୁରୋ : ବାବା ସିଦ୍ଦିକଙ୍କ ହତ୍ୟା ପରେ ଏବେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସେପଟେ ସିଦ୍ଦିକଙ୍କୁ ୱାଇ ପ୍ଲସ କାଟାଗୋରୀ ସୁରକ୍ଷା ଦିଆଯାଇଥିଲେ ବି ଏଭଳି ଘଟଣା କିଭଳି ଘଟିଲା ତାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍ ରାସ୍ତାରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି । ଯାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ବାବା ସିଦ୍ଦିକିଙ୍କୁ ୧୫ ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା । ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯେଉଁଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା । ଏଥିପାଇଁ ତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଧମକ ପରେ ତାଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଥିଲା । ସେପଟେ ମୁମ୍ବାଇ ପୁଲିସ କିନ୍ତୁ ଏହି କଥାକୁ ଖଣ୍ଡନ କରିଛି । ତାଙ୍କୁ କୌଣସି ଧମପୂର୍ଣ୍ଣ ଚିଠି ମିଳିନଥିବା ପୁଲିସ କହିଛି । ବାବା ସିଦ୍ଦିକିଙ୍କୁ କିଏ ଓ କାହିଁକି ହତ୍ୟା କଲେ ଏନେଇ ପୁଲିସ ତଦନ୍ତ ଜାରି ରଖିଛି । ଏହାରି ଭିତରେ ତାଙ୍କୁ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏ ଦିଗରେ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି । ଏଥିସହ ବସ୍ତି ବାସିନ୍ଦାଙ୍କୁ ପୁନଃ ଥଇଥାନ ପ୍ରକଳ୍ପ କାର୍ଯ୍ୟ ଉପରେ ମଧ୍ୟ ସମ୍ଭାବ୍ୟ ବିବାଦ ଲାଗି ରହିଥିଲା । ତେଣୁ ଏହାକୁ ନେଇ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି କୁହାଯାଉଛି । ଏହା କଣ୍ଟ୍ରାକ୍ଟ କିଲିଂ ମାମଲା ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।