କନକ ବ୍ୟୁରୋ : ଶୁକ୍ରବାର ସକାଳୁ ଛତିଶଗଡ ଦୁର୍ଗରେ ପହଞ୍ଚିଥିଲା ଇଡି ଟିମ୍ । ପ୍ରଥମେ ଦୁଇଘଣ୍ଟାର ଜେରା ପରେ ଚୈତନ୍ୟ ବଘେଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟଙ୍କ ମୁଣ୍ଡ ଉପରେ ଲାଗିଛି ୨ହଜାର କୋଟି ଟଙ୍କା ମନି ଲଣ୍ଡ୍ରିଂ ଅଭିଯୋଗ । ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ଚୈତନ୍ୟଙ୍କ ସମେତ ୭୦ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ଯେଉଁଥିରେ ବଘେଲଙ୍କ ପୁଅଙ୍କ ସମେତ ତତ୍କାଳୀନ କଂଗ୍ରେସ ସରକାରରେ ରହିସାରିଥିବା ନେତା, ମନ୍ତ୍ରୀଙ୍କ ଲମ୍ବା ତାଲିକା ରହିଛି ।
ଜନ୍ମଦିନରେ ପଡ଼ିଲା ହାତକଡ଼ି
- ଛତିଶଗଡ଼ରେ ଅବକାରୀ ଦୁର୍ନୀତିକୁ ନେଇ ଇଡିର ବଡ଼ ଖୁଲାସା
- ରାଜ୍ୟରେ ବେଆଇନ ମଦ କାରବାର ସିଣ୍ଡିକେଟ୍ ଚାଲିଛି
- ଦୁର୍ନୀତିରୁ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ଆୟ ହୋଇଥିଲା
- ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କୱାସି ଲଖମାଙ୍କୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ଦିଆଯାଉଥିଲା
- ଏହି ପରିମାଣ ଦୁର୍ନୀତିରୁ ହେଉଥିବା ଆୟରୁ ଦିଆଯାଇଥିଲା
- ମାମଲାରେ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିବାରୁ ଉଠାଇ ନେଇଛି ପୁଲିସ
ଅନ୍ୟପଟେ ପୁଅକୁ ଗିରଫ ନେଇ ଭୂପେଶ ବିଜେପି ଓ ଆଦାନୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଜନ୍ମଦିନରେ ଚୈତନ୍ୟଙ୍କୁ ଇଡି ଉଠାଇନେବା ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ପ୍ରଦେଶ କଂଗ୍ରେସ କର୍ମୀ । ଇଡି ଗାଡ଼ି ସମ୍ମୁଖରେ ଜୋରଦାର ବିକ୍ଷୋଭ କରିବା ସହ ବିଜେପି ବିରୋଧରେ ନାରାବାଜି କରିଛି । ସେପଟେ ଘଟଣାକୁ ନେଇ ବିଜେପି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଦୁର୍ନୀତିରେ ବାପାଠୁ ବଳିଗଲେ ପୁଅ ।
ଯେବେଠୁ ମୁଖ୍ୟମନ୍ତ୍ରୀ ପଦ ଯାଇଛି ସେବେଠୁ ବଘେଲଙ୍କ ମୁଣ୍ଡରେ ଚଡ଼କ ପଡୁଛି । ମହାଦେବ ବେଟିଂ ଆପସ, ଆଦିବାସୀ ଜମି ହଡ଼ପ, ମଦ ଦୁର୍ନୀତିରେ ଫସିବା ପରେ ଏବେ ପୁଅ ଚୈତନ୍ୟ ମଧ୍ୟ ତଦନ୍ତକାରୀ ସଂସ୍ଥା ରାଡାରରେ ।