କନକ ବ୍ୟୁରୋ : ଢେଙ୍କାନାଳରେ ଖଣି ବ୍ୟବସାୟୀଙ୍କ ଘରେ ପଶିଛି ଇଡି । ବ୍ୟବସାୟୀ ରତିକାନ୍ତ ରାଉତଙ୍କ ପତଳା ଗାଁରେ ଥିବା ବାସଭବନରେ ହୋଇଛି ରେଡ୍ । ଅର୍ଥନୈତିକ ହେରଫେରର ଖିଅ ଖୋଜୁଛି ପ୍ରବର୍ତ୍ତନ ନିର୍ଦେଶାଳୟର ୬ଜଣିଆ ଟିମ୍ । ତାମେଡା ଫାର୍ମ ହାଉସରେ ମଧ୍ୟ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି । ସକାଳୁ ସକାଳୁ ୬ ଜଣିଆ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ସାଙ୍ଗରେ ଆସିଛନ୍ତି ସିଆରପିଏଫ ଯବାନ । ଭୁବନେଶ୍ବର ପଟିଆରେ ଥିବା ଘର ସମେତ ୧୨ଟି ସ୍ଥାନରେ ଚଢ଼ାଉ କରାଯାଉଛି । କେତେ ଟଙ୍କା ହେରଫେର ହୋଇଛି ? କେଉଁ କେଉଁ ସ୍ଥାନରେ କେତେ ସମ୍ପତ୍ତି ରହିଛି ତାର ତଦନ୍ତ ଚାଲିଛି । ତେବେ ଏନେଇ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ସୁନ୍ଦରଗଡ଼ ବରସୁଆଁ ଲୌହଖଣି ଦୁର୍ନୀତିର ତଦନ୍ତ କରୁଛି ସିବିଆଇ । ଆଜି ଦୁଇ ପ୍ରବନ୍ଧକ ସୁନନ୍ଦ ପରିଡ଼ା ଓ ସରୋଜ ପଟ୍ଟନାୟକଙ୍କ ଟେନସାସ୍ଥିତ କ୍ବାର୍ଟରରେ ଚଢ଼ାଉ କରାଯାଇଛି । ଉଚ୍ଚମାନର ଷ୍ଟାକକୁ କିଭଳି ନିମ୍ନମାନର ଦର୍ଶାଇ ବିଭିନ୍ନ କ୍ରେତାଙ୍କୁ ବିକ୍ରି କରାଯାଉଥିଲା, ତାର ପୋଲ ଖୋଲିବାକୁ ଯାଉଛି । ଶହ ଶହ କୋଟିର ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୨୦୨୪ ସେପ୍ଟେମ୍ବର ୪ ତାରିଖରେ ସିବିଆଇର ଏକ ଟିମ୍ ୧୪ଦିନ ଧରି ସେଲ୍ କାର୍ୟ୍ୟାଳୟରେ ରେଡ୍ କରିଥିଲା । ୪ ମାସ ପରେ ଆଜି ପୁଣି ଥରେ ୧୫ ଜଣିଆ ଟିମ୍ ଖଣିର ଦୁଇ ପ୍ରବନ୍ଧକଙ୍କ ଘରେ ଚଢ଼ାଉ କରିବା ସହ ପଚରାଉଚରା କରିଛନ୍ତି ।
ରାଜ୍ୟରେ ଖଣି ଦୁର୍ନୀତିର ପୋଲ ଖୋଲିବାକୁ ଚାଲିଛି ତନାଘନା । ଭିଜିଲାନ୍ସଠାରୁ ନେଇ ଇଡି ଓ ସିବିଆଇ ପକ୍ଷରୁ କରାଯାଉଛି ଚଢ଼ାଉ । ବ୍ୟବସାୟୀ ଓ ଖଣି ଅଧିକାରୀଙ୍କୁ ଜେରା କରୁଛନ୍ତି ଟିମ୍ । ଖୁବଶୀଘ୍ର କଳା ସାମ୍ରାଜ୍ୟର ଗୁମର ଖୋଲିବ ତଦନ୍ତକାରୀ ସଂସ୍ଥା ।