କନକବ୍ୟୁରୋ : ଗୋଟିଏ ଦିନର ବ୍ରେକ ପରେ ପୁଣି ବଢ଼ିଲା ଶୀତ । ମେଘାଚ୍ଛନ୍ନ ବାଦଲ ହଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା ।  ଉପକୂଳ ଓଡ଼ିଶାରେ ୩.୬ ଡିଗ୍ରି ଯାଏ ଖସିଲା ପାରଦ ।  ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା ।  ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଆକାଶ ଅଧିକ ମେଘାଚ୍ଛନ୍ନ ରହିଥିଲା ।  ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରର କିଛି ଅଞ୍ଚଳ ମେଘମୁକ୍ତ ସହ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିଥିଲା ।  

Advertisment

ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ରଚିବ ଇତିହାସ: ୨୦୨୬ର ପ୍ରଥମ ମିଶନ ସ୍ବରୂପ ଅନ୍ତରୀକ୍ଷକୁ ଯିବ ଉପଗ୍ରହ EOS-N1

ଅଧିକାଂଶ ସ୍ଥାନରେ ରାତିର ତାପମାତ୍ର ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା ।  ରାଜଧାନୀ ଭୁବନେଶ୍ଵରର ସର୍ବନିମ୍ନ ତାପମାତ୍ରା ୯.୨ରୁ ବୃଦ୍ଧି ପାଇଁ ୧୫ ଡିଗ୍ରିରେ ପହଁଚିଥିଲା ।  ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୭, ରାଉରକେଲାରେ ୮, ଝାରସୁଗୁଡ଼ାରେ ୮.୩, ନବରଙ୍ଗପୁରରେ ୮.୫,  ଜି ଉଦୟଗିରିରେ ୯.୪, ଅନୁଗୁଳରେ ୧୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା ।  ଆଜିଠାରୁ ପାରଦ ପୁଣି ଖସିଥିବା ବେଳେ ଶୀତ ବଢ଼ିଛି । ସେପଟେ ଜାଡ଼ରେ ଥରୁଛି ସାରା ଉତ୍ତର ଭାରତ। ରାଜସ୍ଥାନଠୁ ନେଇ ହିମାଚଳ ଯାଏ ସବୁଠି ଶୀତ ଲହରୀ ।  ରବିବାର ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହୋଇଛି ।  ରାଜସ୍ଥାନର କିଛି ସ୍ଥାନରେ ତାପମାତ୍ରା ଶୂନ ତଳକୁ ଖସିଛି ।  ସିକର ଜିଲ୍ଲାର ଫତେହପୁରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୩.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।  

ସର୍ବନିମ୍ନ ତାପମାତ୍ରାରେ ଏହି ହ୍ରାସ ଯୋଗୁଁ କ୍ଷେତ ଏବଂ ଛାତ ଉପରେ ତୁଷାରପାତ ଜମିଛି ।  ହରିୟାଣାର ରେୱାଡିରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୦.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।  ଦିଲ୍ଲୀର ପାଲମ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୩ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଅର୍ଥାତ ୨ଡିଗ୍ରି ତଳକୁ ଆସିଛି ।  ପୂର୍ବରୁ, ଜାନୁଆରୀ ୭, ୨୦୧୩ରେ ପାଲମରେ ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା ।  ଆୟାନଗର ରାଜଧାନୀର ସବୁଠାରୁ ଥଣ୍ଡା ଅଞ୍ଚଳ ହୋଇଛି ।  ଯାହାର ସର୍ବନିମ୍ନ ତାପମାତ୍ରା ୨.୯ ଡିଗ୍ରୀ ରହିଛି ।

ସେହିପରି ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାର ସରାଜ ଅଞ୍ଚଳର ଅନେକ ସ୍ଥାନରେ ଜଳଉତ୍ସ ଗୁଡ଼ିକ ବରଫ ପାଲଟିଯାଇଛି ।  ଜମ୍ମୁ କାଶ୍ମୀରରେ ପାରଦ ତୀବ୍ର ଭାବରେ ହ୍ରାସ ପାଇଛି। ପାଣିପାଗ କେନ୍ଦ୍ର ଶ୍ରୀନଗର ଅନୁଯାୟୀ, ଜାନୁଆରୀ ୧୬-୧୭ ଏବଂ ଜାନୁଆରୀ ୨୦-୨୩ ମଧ୍ୟରେ କିଛି ସ୍ଥାନରେ ବର୍ଷା ଏବଂ ତୁଷାରପାତ ସମ୍ଭବ ।  ପଞ୍ଜାବ ଅମୃତସରରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।  ପଟିଆଲାରେ ୩.୮ ଡିଗ୍ରି ସେଲସିୟସ୍, ଗୁରୁଦାସପୁରରେ ୩.୮ ଡିଗ୍ରି, ମୋହାଲିରେ ୪.୮ ଡିଗ୍ରି, ଫରିଦକୋଟରେ ୪.୭ ଡିଗ୍ରି, ହୋସିଆରପୁରରେ ୫.୮ ଡିଗ୍ରୀ ଡିଗ୍ରି ଏବଂ ପଠାଣକୋଟରେ ୬.୧ ଡିଗ୍ରି ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ସପ୍ତାହର ଶେଷ ଭାଗରେ ହାଲୁକା ବର୍ଷା ହୋଇପାରେ ।