କନକ ବ୍ୟୁରୋ : ୮୫ ବର୍ଷ ପରେ ଜାତୀୟ କଂଗ୍ରେସ ବିହାରର ସଦାକତ ଆଶ୍ରମରେ ଦଳର କାର୍ୟ୍ୟକାରିଣୀ ବୈଠକ କରିଛି । କଂଗ୍ରେସ ଏକ ଜାତୀୟ ଦଳ ଆଉ ଏହି ଦଳ ବିଭିନ୍ନ ସମୟରେ କାର୍ୟ୍ୟକାରିଣୀ ବୈଠକ କରିଥାଏ । ହେଲେ ବିହାରର ସଦାକତ ଆଶ୍ରମରେ କଂଗ୍ରେସର ବୈଠକ ପୁଣି ସେହି ପରାଧୀନ ଭାରତ ଆଉ କଂଗ୍ରେସ କଥା ମନେ ପକାଇଛି ।
କଂଗ୍ରେସ ଦଳର ନେତାମାନେ କିଛିବର୍ଷ ହେବ ଏନଡିଏ ସରକାର ସମ୍ବିଧାନକୁ ହତ୍ୟା କରୁଥିବା ଅଭିଯୋଗ କରୁଛନ୍ତି । ଏନେଇ ଦଳର ଅଘୋଷିତ ଶୀର୍ଷ ନେତା ରାହୁଲ ଗାନ୍ଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । ସମ୍ବିଧାନକୁ ରକ୍ଷା କରିବାର ନାରା ସହ ସେ ପ୍ରତିଟି ମଞ୍ଚକୁ ସମ୍ବିଧାନର ପୁସ୍ତିକା ଧରି ଆସୁଛନ୍ତି ।
୧୯୪୦ ମସିହା ପରେ ପ୍ରଥମ ସୁଯୋଗ ଥିଲା ଯେତେବେଳେ ବିହାରରେ କଂଗ୍ରେସର କାର୍ୟ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମୌଲାନା ଅବଦୁଲ୍ କଲାମ୍ ଆଜାଦ । ଆଉ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ପାଇଁ ଏକ ସମ୍ବିଧାନ ସଭାର ସଂରଚନା ।
ବାସ୍ ୮୫ ବର୍ଷ ପରେ କଂଗ୍ରେସ ପୁଣିଥରେ ବିହାରର ସଦାକତ ଆଶ୍ରମରେ କାର୍ୟ୍ୟକାରିଣୀ ବୈଠକ କରିଛି । ରାମଗଡ଼ରୁ ପାଟନା ପର୍ୟ୍ୟନ୍ତ ବିଗତ ୮୫ ବର୍ଷ ଭିତରେ ଅନେକ ପରିବର୍ତ୍ତନ ହୋଇଛି । ଆଉ ତା ସହ ସଭାର ପ୍ରସଙ୍ଗ ବି ବଦଳି ଯାଇଛି । ସେତେବେଳେ ଭାରତ ପାଇଁ ଏକ ମଜୁବତ ସମ୍ବିଧାନ ଗଠନ କରିବା ଉର୍ଦ୍ଦେଶ୍ୟରେ କଂଗ୍ରେସ ଏହି ସଭା କରିଥିଲା । ହେଲେ ଆଜି ମଜବୁତ ସମ୍ବିଧାନ ବିପଦରେ ରହିଛି ଓ ତାକୁ କିଭଳି ରକ୍ଷା କରାଯିବ ଏଭଳି ଏକ ପ୍ରସଙ୍ଗ ନେଇ ସମାନ ସ୍ଥାନରେ ୮୫ ବର୍ଷ ପରେ କଂଗ୍ରେସ ବୈଠକ କରିଛି ।
୧୯୪୦ ମସିହାରେ ରାମଗଡ଼ର ସଦାକତ ଆଶ୍ରମରେ କଂଗ୍ରେସ କାର୍ୟ୍ୟକାରିଣୀ ବୈଠକରେ ଏକ ଐତିହାସିକ ପ୍ରସ୍ତାବ ପାରିତ ହୋଇଥିଲା । ପ୍ରଥମଥର ଭାରତୀୟ ଜାତୀୟ କଂଗ୍ରେସ ମୁକ୍ତ ଓ ସ୍ୱାଧୀନ ଭାରତ ପାଇଁ ସମ୍ବିଧାନ ସଭା ଗଠନ କରି ସମ୍ବିଧାନ ରଚନା ଓ ଗ୍ରହଣ କରିବାକୁ ଔପଚାରିକ ପ୍ରତିବଦ୍ଧତା ଜଣାଇଥିଲା । ୧୯୫୦ ଜାନୁଆରୀ ୨୬ ତାରିଖରେ ସମ୍ବିଧାନ କାର୍ୟ୍ୟକାରୀ ହେଲା । ସେତେବେଳେ ଆରଏସଏସ୍ ଏହାକୁ ବିରୋଧ କରିଥିଲା । ଏହାକୁ ନେଇ ଏବେ ଜୟରାମ ରମେଶ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜାରି କରି ଆରଏସଏସକୁ କଟାକ୍ଷ କରିଛନ୍ତି । ଜୟରାମ ରମେଶ କହିଛନ୍ତି କି, ଯେଉଁ ସଂଗଠନ ସମ୍ବିଧାନ କାର୍ୟ୍ୟକାରୀ ବେଳେ ବିରୋଧ କରୁଥିଲା, ଆଜି ବି ଆରଏସଏସର ଚରିତ୍ର ସମାନ ରହିଛି ।
କଂଗ୍ରେସର ଏହି ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସମାନ କଥା କହିଛନ୍ତି । ଖଡଗେ କହିଛନ୍ତି ସେଦିନ ନିଷ୍ଠୁର ଇଂଗ୍ରେଜ ଶାସକମାନଙ୍କ ବିରୋଧରେ କଂଗ୍ରେସ ଲଢିବା ପାଇଁ ଅଣ୍ଟା ଭିଡ଼ିଥିଲା ଏବଂ ଭାରତୀୟମାନଙ୍କ ସହଯୋଗରେ ସଫଳ ମଧ୍ୟ ହୋଇଥିଲା । ଆଜି ଦେଶରେ ପୁଣି ଇଂଗ୍ରେଜମାନଙ୍କ ଭଳି ଅନ୍ୟ ଏକ ଗୋଷ୍ଠୀ ଶାସକ ଗାଦିରେ ବସିଛି । ହଜାର ହଜାର ଲୋକଙ୍କ ଜୀବନ ବଦଳରେ ମିଳିଥିବା ସ୍ୱାଧୀନତା ଓ କଂଗ୍ରେସ ନେତୃତ୍ୱରେ ତିଆରି ହୋଇଥିବା ଗଣତନ୍ତ୍ରକୁ ଦୈନିକ ହତ୍ୟା କରୁଛି । ସମ୍ବିଧାନିକ ଅଧିକାର ଭୋଟକୁ ଲୋକଙ୍କ ଠାରୁ ଛଡ଼ାଇନେବାକୁ ବସିଛି ଓ ଏଥିରେ ସହଯୋଗ କରୁଛନ୍ତି ନିର୍ବାଚନ କମିସନ । ଏହା ବିରୋଧରେ କଂଗ୍ରେସ ଲଢେଇ ଆରମ୍ଭ କରିଛି ଓ ଏଭଳି ଗଣତନ୍ତ୍ର ହତ୍ୟାକାରୀଙ୍କୁ କ୍ଷମତାଚ୍ୟୁତ କରିବାରେ କଂଗ୍ରେସ ସଫଳ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।