କନକ ବ୍ୟୁରୋ : ୮ ବର୍ଷ ପରେ ଏସିଆ କପ୍ ହାତେଇଲା ଭାରତ । ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଭାରତ ଚାମ୍ପିୟନ୍ । ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଏଥିସହ ୨୦୨୬ରେ ହେବାକୁ ଥିବା ଏଫଆଇଏଚ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିହାରରେ ପ୍ରଥମଥର ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଆରମ୍ଭରୁ ଟାଇଟଲ୍ ଦାବିଦାର କୁହାଯାଉଥିଲା । ଆଉ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଭାରତ ଚାମ୍ପିୟନ୍ ହୋଇଛି । ପୁଲ ଷ୍ଟେଜରେ ଭାରତ ତା’ର ତିନୋଟି ଯାକ ମ୍ୟାଚ୍ ଜିତିଥିଲା । ସୁପର-ଫୋରରେ ୩ ରୁ ୨ଟି ବିଜୟ ଏବଂ ଗୋଟିଏ ମ୍ୟାଚ୍ ଡ୍ର’ କରିଥିଲା । ଫାଇନାଲରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମ ମିନିଟରେ ଭାରତ ଗୋଲ୍ ଦେଇ ୧-୦ରେ ଆଗୁଆ ହୋଇଥିଲା । ଦ୍ବିତୀୟାର୍ଦ୍ଧରେ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ ଦିଲପ୍ରୀତ ସିଂ । ୪୫ତମ ମିନିଟରେ ଦିଲପ୍ରୀତ ଆଉଏକ ଗୋଲ୍ ଦେଇଥିବା ବେଳେ ୫୦ତମ ମିନିଟରେ ଓଡ଼ିଆ ପୁଅ ଅମିତ ରୋହିଦାସ ଭାରତ ପାଇଁ ଚତୁର୍ଥ ଗୋଲ୍ ସ୍କୋର୍ କରିଥିଲେ । ୫୭ତମ ମିନିଟରେ ଦକ୍ଷିଣ କୋରିଆ ଏକମାତ୍ର ଗୋଲ୍ ପରିଶୋଧ କରିଥିଲା ।