କନକ ବ୍ୟୁରୋ: ପିସିସି ସଭାପତି ହେବାର ୬ ମାସ ପରେ ନୂଆ ଟିମ୍ ଗଢ଼ିଛନ୍ତି ଭକ୍ତ ଦାସ । ୭ ଉପ ସଭାପତି, ୧୨ ଜଣ ସଂପାଦକ ଓ ୧୦ ସାଧାରଣ ସଂପାଦକଙ୍କୁ ନେଇ ଛାମୁଆ ସଂଗଠନ ପ୍ରସ୍ତୁତ କରିଛନ୍ତି ଭକ୍ତ । ଯେଉଁଥିରେ ବରିଷ୍ଠ, ଅଭିଜ୍ଞ, ଯୁବ, ଛାତ୍ର ଓ ମହିଳାଙ୍କୁ ସାମିଲ କରାଯାଇଛି । ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ ସବୁ ଅଞ୍ଚଳରୁ ନେତାଙ୍କୁ ତାଙ୍କ ଟିମରେ ନେଇଛନ୍ତି ଭକ୍ତ । ଯାହାକୁ ନେଇ ଉତ୍ସାହିତ ଟିମରେ ସ୍ଥାନ ପାଇଥିବା ସଦସ୍ୟ ।
ନୂଆ କମିଟିରେ କିନ୍ତୁ ମହମ୍ମଦ ମୋକିମ କିମ୍ବା ଝିଅ ସୋଫିଆ ଫିର୍ଦ୍ଦୋସଙ୍କ ନାଁ ନାହିଁ । ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋଫିଆ କହିଛନ୍ତି, ମୋତେ ଦାୟିତ୍ବ ଦେଲେ କାମ କରିବି, ନ ଦେଲେ ମଧ୍ୟ କରିବି । ଅନ୍ୟପଟେ ଦଳର ଦୁଇ ବରିଷ୍ଠ ନେତା ନୂଆ କମିଟିକୁ ନେଇ ତେରଛା ବାଣ ମାରିଛନ୍ତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯଦି ଯୋଗ୍ୟ ନେତାଙ୍କୁ କମିଟିରେ ରଖାଯାଇଥିବ, ତା’ ହେଲେ ଭଲ କାମ ହେବ । ନ ହେଲେ ବିପରୀତ ଫଳ ହେବ କହି ନିଜ ମତକୁ ଅସ୍ପଷ୍ଟ ରଖିଛନ୍ତି । ଠିକ୍ ସେହିପରି ଜୟଦେବ ଜେନା ମଧ୍ୟ ପିସିସି କେତେ ଦୂର ଚିନ୍ତା କରି କମିଟି ଗଠନ କରିଛନ୍ତି, ଏହାର ସଫଳତା ଉପରେ ନିର୍ଭର କରେ ବୋଲି କହିଛନ୍ତି ।
ବର୍ତ୍ତମାନ ନୂଆ ସଭାପତି ଆସିବା ପରେ କଂଗ୍ରେସ ଆକ୍ରାମଣାତ୍ମକ ଅଭିମୁଖ୍ୟ ନେଇ ରାସ୍ତାକୁ ଓହ୍ଲାଉଛି । କିନ୍ତୁ ଭକ୍ତଙ୍କ ନୂଆ ଟିମ୍ ଭକ୍ତଙ୍କ ଲକ୍ଷ୍ୟକୁ ପୂରଣ କରିବାରେ କେତେ ସଫଳ ହେଉଛି ତାକୁ ଅପେକ୍ଷା ।