କନକ ବ୍ୟୁରୋ: ବାସୁଦେବପୁରରେ ନାବାଳିକାଙ୍କୁ ହତ୍ୟା କଲା କିଏ ? । ଅପହରଣର ୬ ଦିନ ମିଳିଲା ଗଳିତ ଶ । ସୁରାକ ପାଉନି ପୁଲିସ । ସେପଟେ କୋଇଡାରେ ପୂଜା ଦେଖି ଫେରୁଥିବା ବେଳେ ନାବାଳିକାଙ୍କୁ ଟେକି ନେଇ ଗଣଦୁଷ୍କର୍ମ । ଉଠିଲା ପ୍ରଶ୍ନ, କେତେ ସୁରକ୍ଷିତ ନାବାଳିକା ? ଅସୁରକ୍ଷିତ ନାବାଳିକା, ବଢ଼ିଚାଲିଛି ଅପରାଧ । କାହାକୁ ଅପହରଣ ପରେ ହତ୍ୟା କରାଯାଉଛି ତ ପୁଣି କିଏ ଗଣଦୁଷ୍କର୍ମର ହେଉଛି ଶିକାର । ବେଫିକର ବୁଲୁଛନ୍ତି ଅଭିଯୁକ୍ତ । ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ । ଅନୁଗୁଳ ପରେ ଭଦ୍ରକ ବାସୁଦେବପୁର ଘଟଣା କିଛି ସେଭଳି ଦିଗକୁ ଇଙ୍ଗିତ କରୁଛି ।
- ଅପହରଣ, ହତ୍ୟା, ରହସ୍ୟ
- ବାସୁଦେବପୁରରେ ନାବାଳିକାଙ୍କୁ ମାରିଲା କିଏ ?
ରହସ୍ୟଘେରରେ ବାସୁଦେବପୁର ରାଧାନାଥପୁର ଅଡ଼ିଆ ଗାଁର ନାବାଳିକା ହତ୍ୟାକାଣ୍ଡ । ଅପହରଣର ୬ ଦିନ ପରେ ଘାସବୁଦାରୁ ନାବାଳିକାଙ୍କ ମୃତଦେହ ମିଳିଲା, ଆଉ ତାହା ବି ପୁଣି ଗଳିତ ଅବସ୍ଥାରେ । ଯାହାକୁ ନେଇ ପ୍ରଶ୍ନ ଉଠୁଛି, କିଏ ମାରିଲା, କାହିଁକି ମାରିଲା ଓ କେମିତି ମାରିଲା ? ହେଲେ ପୁଲିସ ପାଖରେ ଏହାର ଉତ୍ତର ନାହିଁ । ପୋଷ୍ଟମର୍ଟମ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିବା ବେଳେ ପରିବାରବର୍ଗ ଆଣିଛନ୍ତି ଗଣଦୁଷ୍କର୍ମର ଅଭିଯୋଗ । ଗତ ୧୪ ତାରିଖରେ ସନ୍ଧ୍ୟାରେ ବାହାରକୁ ଶୌଚ ପାଇଁ ଯାଇ ଫେରିନଥିଲେ ନାବାଳିକା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛି ପୁଲିସ ।
- ଯୌନ ପିପାସୁଙ୍କ ଆତଙ୍କରାଜ
- ଜଙ୍ଗଲକୁ ଟେକିନେଇ ଗଣଦୁଷ୍କର୍ମ
କୋଇଡା ବରସୁଆଁକୁ ବିଶ୍ବକର୍ମା ପୂଜା ବୁଲିବାକୁ ଆସି ୨ ଯୌନରାକ୍ଷସଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା । ଅନ୍ୟ ସାଙ୍ଗଙ୍କୁ ଭୟଭୀତ କରି ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ ସଇତାନ । ଏନେଇ କେ.ବଲାଙ୍ଗ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ । ନାବାଳିକାଙ୍କୁ ଅପହରଣ ପରେ ହତ୍ୟା ଟ୍ରେଣ୍ଡ ପାଲଟିଛି । ହେଲେ ପୁଲିସ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଉଛନ୍ତି ଅପରାଧୀ । ପ୍ରଶ୍ନ ଉଠୁଛି, ଆଉ କେତେ ନାବାଳିକା ନିଖୋଜ ହେଲେ ଚେତିବ ପୁଲିସ ? ନାବାଳିକାଙ୍କ ସୁରକ୍ଷାକୁ କାହିଁକି ଏତେ ଅବହେଳା ?