କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବେ । ହେଲେ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନୁହେଁ ବରଂ ଆଜିଠୁ ୟୁନିଟଚ-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲୋକଙ୍କ ଅଭିଯୋଗ,ସମସ୍ୟା ଶୁଣିବେ। ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ରହିଛି । ପ୍ରାୟ ୧ ହଜାର ଲୋକ ଏଥିପାଇଁ ଆଗୁଆ ପଞ୍ଜୀକରଣ କରିଛନ୍ତି ।
ଏହି ନୂତନ ଅଭିଯୋଗ ପ୍ରକୋଷ୍ଠରେ ଏକସଙ୍ଗେ ଏକ ହଜାର ଲୋକ ଏକତ୍ରିତ ହେବା ଭଳି ବ୍ୟବସ୍ଥା କରାଯାଇଛି । ଅଭିଯୋଗକାରୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି । ଦୀର୍ଘ ୩୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ଥିରୀକୃତ ହୋଇଥିବା କ୍ୱାଟର୍ସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁନଥିବାରୁ ଅଭିଯୋଗ ପ୍ରକୋଷ୍ଠକୁ ନେଇ କୌଣସି ସମସ୍ୟା ହୋଇନଥିଲା । ଏପରିକି ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହାର ନବୀକରଣ କରାଯାଇଥିଲା । କିନ୍ତୁ ଏବେ ତାହାର ଠିକଣା ବଦଳିଛି ।