କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦମ୍ବରମଙ୍କ କହିବାନୁସାରେ ୨୬/୧୧ ଆକ୍ରମଣର ପ୍ରତିଶୋଧ ନେବାକୁ ତାଙ୍କ ମନରେ ଚିନ୍ତା ଆସିଥିଲା । ଏପରିକି ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତଥା ସରକାରର ବହୁ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ମାତ୍ର ୨୬/୧୧ ଆକ୍ରମଣ ପରେ ଦିଲ୍ଲୀ ଗସ୍ତରେ ଆସିଥିବା ଆମେରିକାର ତତ୍କାଳୀନ ବୈଦେଶିକ ସଚିବ କୋଣ୍ଡୋଲିଜା ରାଇସ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଉତ୍ତେଜନାକୁ ନବଢ଼ାଇବାକୁ ପରାମର୍ଶ ଦେଇଥିଲେ ।
ନଭେମ୍ବର ୨୬, ୨୦୦୮ରେ ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଟର୍ମିନାଲ ଷ୍ଟେସନ, ତାଜା ମହଲ ପାଲେସ ହୋଟେଲ, ଓବରୟ ଟ୍ରାଇଡେଣ୍ଟ ହୋଟେଲ, କାମା ହସ୍ପିଟାଲ, ନରିମନ ପଏଣ୍ଟ, ମେଟ୍ରୋ ସିନେମା, ଲିଓପାଡ କାଫେ, ସେଣ୍ଟ ଜାଭିୟର କଲେଜ ଆଦି ୮ଟି ସ୍ଥାନରେ ଆକ୍ରମଣ କରିଥିଲେ । ୧୭୫ ଜଣଙ୍କ ମୃତ୍ୟୁ ସହ ଆହତ ହୋଇଥିଲେ ୩ଶହରୁ ଅଧିକ । ଏହି ଆତଙ୍କୀଙ୍କ ମଧ୍ୟରୁ କସାବକୁ ଧରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ । ତାକୁ ୨୦୧୨ରେ ଫାଶୀ ଦିଆଯାଇଥିଲା । ଏହି ଆତଙ୍କୀ ଆକ୍ରମଣ ଘଟଣାର ମାତ୍ର କିଛି ଦିନ ପରେ ବରିଷ୍ଠ ନେତା ପି.ଚିଦମ୍ବରମ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦାୟିତ୍ବ ନେଇଥିଲେ । ଚିଦମ୍ବରମଙ୍କ ଏହି ବୟାନକୁ ବିଜେପି ତାତ୍ସଲ୍ୟ କରିଛି ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଭାରତ ସରକାର ଯୁଦ୍ଧବିରତି କରିଥିବା କଂଗ୍ରେସ ଦାବି କରିଆସୁଛି । ଏଭଳି ସ୍ଥିତିରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପ୍ରତିଶୋଧ ନନେବାକୁ ଆମେରିକାର ଭୂମିକା ସମ୍ପର୍କରେ ଚିଦମ୍ବରମଙ୍କ ସ୍ବୀକାରୋକ୍ତି କଂଗ୍ରେସକୁ ଅଡୁଆରେ ପକାଇଛି ।