କନକ ବ୍ୟୁରୋ : ଏସିଆ କପରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନ ମିଳାଇବା ଘଟଣା ପାକିସ୍ତାନକୁ ବହୁତ ଅପମାନ ଦେଇଛି । ଯାହାକୁ ନେଇ ଚକ୍ତଚାଉଳ ଚୋବାଉଛି ପାକିସ୍ତାନ । ପାକ୍ର ପୂର୍ବତ୍ତନ କ୍ରିକେଟରମାନେ ଭାରତ ବିରୋଧୀ ମନ୍ତବ୍ୟ ଦେଇଚାଲିଛନ୍ତି । କିଏ ଭାରତୀୟ ଖେଳାଳିଙ୍କୁ ଅଶାଳୀନ ଭାଷାରେ ସମାଲୋଚନା କରୁଛନ୍ତି ତ ଆଉ କିଏ ରାଜନୈତିକ ଅସ୍ଥିରତା ବଢ଼ାଇବା ପାଇଁ ଡାର୍ଟି ପଲିଟିକ୍ସ କରିବା ଆରମ୍ଭ କରିଦେଇଛନ୍ତି । ପୂର୍ବତ୍ତନ ନାମିଦାମୀ ଖେଳାଳି ଶାହିଦ୍ ଆଫ୍ରିଦି ବି ବାଦ ପଡ଼ିନାହାନ୍ତି ।
ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ନିକଟରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି । ସେ ରାହୁଲଙ୍କୁ ଜଣେ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି । ଆଉ ବିଜେପିକୁ ସମାଲୋଚନା କରିଛନ୍ତି । ଯାହାକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ଏହା ସହ ଆରୋପ ପ୍ରତ୍ୟାରୋପ ବି ଆରମ୍ଭ ହୋଇଯାଇଛି ।
ଆଫ୍ରିଦିଙ୍କ ବୟାନ ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି କହିଛି, ରାହୁଲ ଗାନ୍ଧୀ ପାକିସ୍ତାନର ପ୍ରିୟ, ପଡ଼ୋଶୀ ଶତ୍ରୁ ଦେଶର ଲୋକମାନେ ତାଙ୍କୁ ସେମାନଙ୍କର ନେତା ବୋଲି ମାନିନେଇଛନ୍ତି । ବିଜେପିର ଏପରି ବୟାନ ପରେ ଜବାବ ରଖିଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ସୋସିଆଲ ମିଡିଆରେ ବିଜେପିକୁ ସମାଲୋଚନା କରି ପ୍ରତିଶୋଧ ନେଇଛନ୍ତି ।
ସୁପ୍ରିୟା ଶ୍ରୀନାତ ବିଜେପି ନେତା ଅନୁରାଗ ଠାକୁରଙ୍କ ସହ ଆଫ୍ରିଦିଙ୍କ ଏକ ଫଟୋ ପୋଷ୍ଟ କରି ପ୍ରତିଆକ୍ରମଣ କରିଛନ୍ତି ଏବଂ କହିଛନ୍ତି, ଶାସକ ଦଳ କଂଗ୍ରେସ ଉପରେ ଆଙ୍ଗୁଠି ଉଠାଇବା ପୂର୍ବରୁ ନିଜ ଆଡ଼କୁ ଟିକେ ଦେଖନ୍ତୁ । ପାକିସ୍ତାନ ଲୋକଙ୍କ ସହ ସମ୍ପର୍କରେ ନିଜେ ରହି, କଂଗ୍ରେସ ଉପରେ ପ୍ରଶ୍ନ ଉଠାଇବା ଆଦୌଂ ଠିକ୍ ନୁହେଁ ବୋଲି ଶ୍ରୀନାତ କହିଛନ୍ତି । ବିଜେପିକୁ ଶସ୍ତା ଦଳ କହି ମଧ୍ୟ ସମାଲୋଚନା କରିଛନ୍ତି ଶ୍ରୀନାତ ।
ରାହୁଲଙ୍କୁ କଣ କହିଲେ ଆଫ୍ରିଦି
ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲରେ ଆଲୋଚନା ସମୟରେ ଆଫ୍ରିଦି ଭାରତର ବିଜେପି ସରକାରଙ୍କୁ ସମାଲୋଚନା କରିବା ସହ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ । ରବିବାର ଦୁବାଇରେ ଅନୁଷ୍ଠିତ ଏସିଆ କପ୍ ମ୍ୟାଚ୍ ସମୟରେ ଭାରତୀୟ କ୍ରିକେଟ୍ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ହାତ ନମିଳାଇବା ନିଷ୍ପତ୍ତି ଉପରେ ଆଫ୍ରିଦି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଫ୍ରିଦି ରାହୁଲଙ୍କୁ ପ୍ରଶଂସା କରିବା ସହ ଭାରତ ବିରୁଦ୍ଧରେ ସମସ୍ତ ଘୃଣା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ମୋଦୀ ସରକାର ହିନ୍ଦୁ-ମୁସଲିମ କାର୍ଡ ଖେଳୁଛନ୍ତି, ନିଜକୁ କ୍ଷମତାକୁ ଆଣିବା ପାଇଁ ଏକ ଅତ୍ୟନ୍ତ ଘୃଣ୍ୟ ରାଜନୀତି କରୁଛନ୍ତି, କିନ୍ତୁ ଯଦି ଆମେ ରାହୁଲଙ୍କ ବିଷୟରେ କଥା ହେବା, ତେବେ ସେ ଜଣେ ଅତ୍ୟନ୍ତ ସକାରାତ୍ମକ ମାନସିକତା ଥିବା ବ୍ୟକ୍ତି । ସେ ଆଲୋଚନା ମାଧ୍ୟମରେ ବିଶ୍ୱ ସହିତ ଚାଲିବାକୁ ଚାହାନ୍ତି । କ'ଣ ଗୋଟିଏ ଇସ୍ରାଏଲ ଯଥେଷ୍ଟ ନୁହେଁ ଯେ ତୁମେ ଆଉ ଏକ ଇସ୍ରାଏଲ ସୃଷ୍ଟି କରିବାକୁ ଚେଷ୍ଟା କରୁଛ?" ବୋଲି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ।