କନକ ବ୍ୟୁରୋ: ଧୀରେଧୀରେ ଦୁଇଭାଗ ହେଉଛି ଆଫ୍ରିକା । ଦୁଇଫାଳ ହେବାରେ ଲାଗିଛି ମାଟି । ଯେଉଁଠି ଦେଖିବ ଲମ୍ବାଲମ୍ବା ଫାଟ ଓ ଆଉ ବିରାଟ ବିରାଟ ଗାତ । ହେଲେ ଏମିତି ହେଲା କାହିଁକି ? କାହିଁକି ଏମିତି ଦୁଇଫାଳ ହେଉଛି ଭୂଖଣ୍ଡ । କାହିଁକି ଦୁଇଭାଗ ହେଉଛି ଆଫ୍ରିକା । ଆଫ୍ରିକା ଦୁଇଭାଗ ହେବା ଭାରତ ପାଇଁ ବିପଦ ସୃଷ୍ଟି କରିବନି ତ ? 

Advertisment

ମୂଳଭୂମିଠୁ ଦୂରେଇବାରେ ଲାଗିଛି ଆଫ୍ରିକାର ପୂର୍ବ ଭାଗ । ପୂର୍ବ ଆଫ୍ରିକା ରିଫ୍ଟ ସିଷ୍ଟମ ପ୍ରକ୍ରିୟା ଯୋଗୁଁ ଆଫ୍ରିକା ମହାଦେଶରେ ଦୀର୍ଘ ୩୫୦୦ କିମିର ଏକ ଫାଟ ସୃଷ୍ଟି ହୋଇଛି । ନିକଟରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ପୃଥିବୀର ଗଭୀରରୁ ବାହାରୁଥିବା ଉତ୍ତପ୍ତ ଚଟାଣ ଏକ ବିଶାଳ ସୁପରପ୍ଲମ୍‌ ଓ ଆଗ୍ନେୟଗିରି ଗତିବିଧି ପାଇଁ ଏମିତି ଘଟୁଛି । କେନିଆ, ମଲାୱି ଓ ଲାଲ୍‌ ସାଗରରେ ଗ୍ୟାସ୍‌ ଗୁଡିକରେ ରାସାୟନିକ ତତ୍ତ୍ୱ ସୁପରପ୍ଲମ୍‌  ଉପସ୍ଥିତିକୁ ସ୍ପଷ୍ଟ କରିଛି । ଏଭଳି ଲାଗି ରହିଲେ ଭବିଷ୍ୟତରେ ଏକ ନୂଆ ମହାସାଗର ସୃଷ୍ଟି ହୋଇପାରେ । ଜିଓ ଫିଜିକାଲ ରିସର୍ଚ୍ଚ ଲେଟର୍ସରେ ଏଭଳି ଏକ ଅଧ୍ୟୟନ ପ୍ରକାଶ ପାଇଛି । 

EARS(East African Rift System) ପୃଥିବୀର ସବୁଠାରୁ ବଡ଼ ସକ୍ରିୟ ମହାଦ୍ୱୀପୀୟ ରିଫ୍ଟ ସିଷ୍ଟମ, ଯାହା ଆଫ୍ରିକାକୁ ଦୁଇ ଭାଗରେ ବାଣ୍ଟୁଛି । ସୃଷ୍ଟି ହୋଇଥିବା ଫାଟ ଉତ୍ତର ପୂର୍ବ ଆଫ୍ରିକାରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପିଛି । ଏଭଳି ପ୍ରକ୍ରିୟା ଦ୍ୱାରା ଏକ ଲାଭା ହ୍ରଦ ସୃଷ୍ଟି ହୋଇଛି । ଏହା ଉତ୍ତପ୍ତ ତରଳ ଚଟାଣର ଏକ ବିଶାଳ ସ୍ଥଳ । ଯାହା ପୃଥିବୀର ମଧ୍ୟ ପରସ୍ତରୁ ଆରମ୍ଭ ହୋଇଥାଏ । ଅର୍ଥାତ ୨୯୦୦ କିମି ଗଭୀରତାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହା ଆଫ୍ରିକାର ଲିଥୋସ୍ଫିୟର ଉପରେ ଚାପ ପକାଉଛି । ଏହା ଏବେ ଆଫ୍ରିକା ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଆଫ୍ରିକାର ଯେଉଁ ଭୂଖଣ୍ଡ ଅଲଗା ହେବାରେ ଲାଗିଛି, ଏହା ଭବିଷ୍ୟତରେ ଇଥିଓପିଆ, କେନିଆ ଓ ସୋମାଲିଆ ଭଳି ଦେଶକୁ ଆଫ୍ରିକାରୁ ପୃଥକ କରିବ । ଯାହାଫଳରେ ପୃଥିବୀରେ ସୃଷ୍ଟି ହେବ ଏକ ନୂଆ ମହାଦ୍ୱୀପ । ଏହାକୁ ଏବେ ଗ୍ରେଟ୍‌ ଫଲ୍‌ଟ ଅଫ୍‌ ଆଫ୍ରିକା ବୋଲି ମଧ୍ୟ କୁହାଯାଉଛି । ଗବେଷକଙ୍କ ମତରେ EARS ବିଭିନ୍ନ ସ୍ଥାନରୁ ନିଆଯାଇଥିବା ରାସାୟନିକ ନମୁନା ଏକାଭଳି । ଏହା ଗୋଟିଏ ଗଭୀର ସ୍ରୋତରୁ ଆସୁଥିବା ଏହି ନମୁନା ଦର୍ଶାଉଛି । ଏହାଦ୍ୱାରା ଭବିଷ୍ୟତରେ ସାରା ବିଶ୍ୱ ଅଷ୍ଟମ ମହାଦ୍ୱୀପ ବିଷୟରେ ପଢ଼ି ପାରନ୍ତି । 

ଆଫ୍ରିକାରୁ ପୃଥକ ହେଉଥିବା ପ୍ଲେଟ୍‌ ଭାରତ ସହ ମିଶିପାରେ ବୋଲି ସୋସିଆଲ୍‌ ମିଡିଆରେ ଆଲୋଚନା ହେଉଛି । ଏହାଦ୍ୱାରା ଗୁଜରାଟ, ମହାରାଷ୍ଟ୍ର, କେରଳରେ ବଡ଼ବଡ଼ ବରଫ ପାହାଡ଼ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ଯାହା ଭାରତର ପାଣିପାଗ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । କିନ୍ତୁ ଏଯାଏଁ ଏହାକୁ ନେଇ ବୈଜ୍ଞାନିକମାନେ କୌଣସି ବିଶ୍ୱସନୀୟ ତଥ୍ୟ ଦେଇନାହାନ୍ତି । ତେଣୁ ସୋସିଆଲ୍‌ ମିଡିଆର ଆଲୋଚନା ହେଉଥିବା ବିଷୟକୁ ଅଣଦେଖା କରାଯାଇପାରେ ।