କନକ ବ୍ୟୁରୋ : ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ପ୍ରଥମେ ୬୦ ଘଣ୍ଟାର ଯୁଦ୍ଧ ବିରତି ପରେ ଏବେ ପୁଣି ଉଭୟ ଦେଶର ସେନାମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି । ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନର ୬ ଟି ପୋଷ୍ଟ ଓ ସେଠାରେ ନିୟୋଜିତ ଥିବା ଟ୍ୟାଙ୍କର, ଆଣ୍ଟି ଟ୍ୟାଙ୍କ ମିସାଇଲ ଏବଂ ଡ୍ରୋନକୁ ଟାର୍ଗେଟ୍ କରିଛି । ସେପଟେ ଆଫଗାନିସ୍ତାନ ବି ପାକିସ୍ତାନର ଏକ ପୋଷ୍ଟ ଉପରେ ଡ୍ରୋନ ଆକ୍ରମଣ କରିଥିବାର ଭିଡ଼ିଓ ଜାରି କରିଛି ।
ଆଫଗାନିସ୍ତାନ ଉପରେ ପାକିସ୍ତାନର ପ୍ରଥମ ଆକ୍ରମଣ ଭାରତୀୟ ସମୟ ରାତି ୭ଟା ୪୭ ମିନିଟରେ କରାଯାଇଥିଲା । ଏହାପରେ ରାତି ୧୧ ଟାରେ ବି ପାକିସ୍ତାନ ସେନା ଆଫଗାନିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରିଥିଲା । ଏହାପରେ ପାକିସ୍ତାନ ସେନା ଡ୍ରୋନ ଆକ୍ରମଣ କରିବା ଆରମ୍ଭ କରିଥିଲା । ଏହାର ପ୍ରତିଉତ୍ତରରେ ଆଫଗାନ ସେନା ପାକିସ୍ତାନ ସେନା ଓ ଟ୍ୟାଙ୍କର ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି ।
ଆଫଗାନିସ୍ତାନ ଦ୍ୱାରା ଜାରି କରାଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି କି, ଆଫଗାନିସ୍ତାନ ସେନାର ଗାଡ଼ିଗୁଡ଼ିକ ପାକିସ୍ତାର ସେନା ଆକ୍ରମଣର ଜବାବ ଦେବାକୁ ଖୋସ୍ତ ସ୍ଥିତ ଗୁଲାମ ଶାହ ସୀମା ଓ କନ୍ଦାହାର ଚମନ ସ୍ଥିତ ବୋଲଦକ ସୀମା ଆଡ଼େ ଗତି କରୁଛି । ପାକିସ୍ତାନ ସେନାର ଆକ୍ରମଣ କ୍ରମରେ ରାଜଧାନୀ କାବୁଲ ଆକାଶରେ ଅଜ୍ଞାତ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଛି । ଏବେ ଏବେ ମିଳିଥିବା ସୂଚନା ମୁତାବକ ଆଫଗାନିସ୍ତାନ ସେନା ଆଫଗାନିସ୍ତାନ-ପାକିସ୍ତାନ ସୀମା ସ୍ଥିତ ରିହାଇସ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଉଛି ।
ଆଫଗାନିସ୍ତାନ ଗଣମାଧ୍ୟମ ମୁତାବକ ଗତକାଲି ରାତିରେ ସୀମାରେ ଉଭୟ ଦେଶର ସେନା ତରଫରୁ ଗୁଳି ଚାଳନା ଜାରି ରହିଛି । ସୂଚନା ଥାଉକି ଶନିବାର ରାତି ଭାରତୀୟ ସମୟ ୯ ଟାରେ ଆଫଗାନିସ୍ତାନର ସେନା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକର ପ୍ରତିଶୋଧ ନେବାକୁ ଏକାଏକ ୭ ସୀମା ଉପରେ ଆକ୍ରମଣ କରିଥିଲା । ଏଥିରେ ପାକିସ୍ତାନର ୫୮ ଜଣ ସେନା ମୃତ୍ୟୁବରଣ କରିଥିଲେ । ଏହାସହ ପାକିସ୍ତାନର ୪୦ ଟି ପୋଷ୍ଟ ଧ୍ୱଂସ ହୋଇଯାଇଥିଲା । ଏବଂ ଆଫଗାନ ସେନା ପାକିସ୍ତାନର ୨୫ ପୋଷ୍ଟ ଉପରେ ଦଖଲ କରିଥିଲେ । ଏସବୁ ଭିତରେ ପାକିସ୍ତାନ ତରଫରୁ ମାତ୍ର ୨୩ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରାଯାଇଛି ।
କେବଳ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିନି । ଏହାସହ ପାକିସ୍ତାନ ଓ ବେଲୁଚିସ୍ତାନ ମଧ୍ୟରେ ଯୁଦ୍ଧ ବି ଚାଲିଛି । ଶନିବାର ରାତିରେ ବେଲୁଚିସ୍ଥାନ ମାଷୁଙ୍ଗ ଅଞ୍ଚଳରେ ୩ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ନା ଅଫଗାନ ସେନା, ନା ପାକିସ୍ତାନ ସେନା କେହି ବି କିଛି ସ୍ପଷ୍ଟ କରିନାହାନ୍ତି ।