କନକ ବ୍ୟୁରୋ : ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତକ୍କୀ ନୂଆ ଦିଲ୍ଲୀରେ କରିଥିବା ସାମ୍ବାଦିକ ସମ୍ମିଳନୀକୁ ନେଇ ଭାରତର ରାଜନୀତି ସରଗରମ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ପତ୍ରକାରଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯାହାକୁ ନେଇ ବିରୋଧୀଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏହାକୁ ନେଇ ମୁତକ୍କୀ ସଫେଇ ଦେଇଛନ୍ତି । ସେ କହିଛନ୍ତି କି, ମହିଳା ପତ୍ରକାରଙ୍କୁ ନିମନ୍ତ୍ରଣ କରିବାକୁ ମୁଁ ମନା କରିନଥିଲି ।
ମୁତକ୍କୀ କହିଛନ୍ତି କି, ମୁଁ ଚେଷ୍ଟା କରୁଛି କି, ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଦୃଢ ହେଉ । ଆମେ ଗୋଟିଏ ସ୍ୱରରେ କଥା ହେବାକୁ ଚେଷ୍ଟା କରୁଛୁ । ମୋ ତରଫରୁ ମହିଳା ପତ୍ରକାରଙ୍କ ପ୍ରବେଶ ଉପରେ କୌଣସି ବୟାନ ଦିଆଯାଇନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀ ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମୁତକ୍କୀଙ୍କ କଥାବାର୍ତ୍ତାର କିଛି ଘଣ୍ଟା ପରେ ଦିଲ୍ଲୀସ୍ଥିତ ଆଫଗାନ ଦୂତାବାସରେ ହୋଇଥିଲା । ଭାରତ ତରଫରୁ ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ପତ୍ରକାରଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ପତ୍ରକାରଙ୍କ ତାଲିକା ଆଫଗାନ ଦୂତାବାସ ତରଫରୁ କରାଯାଇଥିଲା । ଭାରତ ସରକାର କହିଛନ୍ତି କି, ଏହି ସାମ୍ବାଦିକ ସମ୍ମିଳନୀ ସହିତ ଭାରତ ବୈଦେଶିକ ମନ୍ତ୍ରଣାଳୟର କୌଣସି ସଂପର୍କ ନାହିଁ ।
ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ପି.ଚିଦମ୍ବରମ ଓ ଟିଏମସି ସାଂସଦ ମହୁଆ ମୋଇତ୍ରା କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଭାରତରେ ତାଲିବାନୀ ଶାସନକୁ ମୋଦୀ ସରକାର ପ୍ରଶୟ ଦେଉଛନ୍ତି , ସଭାସମିତିରେ ମହିଳା ଅଧିକାରକୁ ନେଇ ପ୍ରଧାନମନ୍ତ୍ରୀ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି ଘଟଣା ପରେ କେନ୍ଦ୍ର ସରକାର ମହିଳାଙ୍କ ସମ୍ମାନ ପାଇଁ ଠିଆ ହୋଇନାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହାସହ ପୁରୁଷ ପତ୍ରକାରମାନେ ଏହି ଘଟଣା ଜାଣିବା ପରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ସେପଟେ ଏହି ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁତକ୍କୀ କହିଛନ୍ତି କି, ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । କହିରଖୁ କି ଆଫଗାନିସ୍ତାନରେ ତାଲିବାନ ଶାସନ ଲାଗୁ ହେବା ପରେ ମହିଳାଙ୍କ ଅଧିକାର ସୀମିତ କରାଯାଉଥିବା ଭଳି ଅଭିଯୋଗ ଲାଗି ରହିଛି ।