କନକ ବ୍ୟୁରୋ : ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତ୍ତାକିଙ୍କ ଭାରତ ଗସ୍ତ କାଳରେ ଗତକାଲି ନୂଆଦିଲ୍ଲୀରେ ଆଫଗାନ ଦୂତାବାସରେ ଆୟୋଜିତ ହୋଇଥିଲା ସାମ୍ୱାଦିକ ସମ୍ମିଳନୀ । ସେହି ସମ୍ମିଳନୀରେ ମହିଳା ସାମ୍ୱାଦିକଙ୍କୁ ସୁଯୋଗ ଦିଆଯାଇ ନଥିଲା , ଏହାକୁ ନେଇ ରାଜନୀତି ଜୋର୍ ଧରିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ କଡ଼ା ସମାଲୋଚନା କରିଛନ୍ତି । ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ମହିଳାଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପ୍ରିୟଙ୍କା ଦାବି କରିଛନ୍ତି । କେବଳ ନିର୍ବାଚନ ସମୟରେ ମହିଳାଙ୍କ ଭୋଟ୍ ହାସଲ ପାଇଁ ସରକାର ବୟାନବାଜି କରୁଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଅନ୍ୟ ନେତା ଓ ବହୁ ସାମ୍ୱାଦିକ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।
ଆଫଗାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତ୍ତାକି ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସାକ୍ଷାତ ଆଲୋଚନା ପରେ ଏହି ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସେପଟେ ଏନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏହି ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କ କୌଣସି ଭୂମିକା ନଥିଲା ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।