କନକ ବ୍ୟୁରୋ: ଫେବ୍ରୁଆରୀ ୫ରେ ପଡିବାକୁ ଯାଉଛି ଦିଲ୍ଲୀ ଭୋଟ୍ । ଆଉ ଏବେଠୁ ଦିଲ୍ଲୀରେ ସରଗରମ ହେଇଛି ରାଜନୀତି । ଗୋଟିଏ ପଟେ ଆପ୍ ଦିଲ୍ଲୀରେ ପୁଣିଥରେ ସରକାର ଗଢିବାକୁ କସରତ କରୁଥିବାବେଳେ, ଅନ୍ୟପଟେ ବିଜେପି ଏଠାରେ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ହେଲେ ଏହାରି ଭିତରେ ଏଡିଆର୍ ରିପୋର୍ଟରେ ଯେଉଁ ତଥ୍ୟ ଆସିଛି, ତାହା ଆପଣଙ୍କୁ ନିଶ୍ଚୟ ଚମକାଇ ଦେବ । ମିଳିଥିବା ସୂଚନା ମୁତାବକ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସବୁଠୁ ଅଧିକ ଅପରାଧିକ ମାମଲାରେ ଜଡ଼ିତ ଥିବା ଲୋକଙ୍କୁ ଟିକେଟ୍ ଦେଇଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୋଟ ୬୯୯ ଜଣ ପ୍ରାର୍ଥୀ ନିଜ ନିଜର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଯେଉଁଥିରୁ ୧୩୨ ଅର୍ଥାତ ୧୯ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ତେବେ ଏହି ୧୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଯାହାର ଖୁଲାସା କରିଛି ଏଡିଆର୍ ।
ଏଡିଆର୍ ରିପୋର୍ଟ ମୁତାବକ, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ସବୁଠୁ ଅଧିକ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଥିବା ଲୋକଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଛି । ଆପ୍ ଦେଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୬୩ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏହା ପଛକୁ ୪୧ ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲାର ରହିଛି । ଯେଉଁଥିରୁ ୧୯ ପ୍ରତିଶତଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବିଜେପି ସବୁଠୁ କମ୍ ଅପରାଧିକ ମାମଲାରେ ଜଡିତ ଥିବା ଲୋକଙ୍କୁ ପ୍ରାର୍ଥୀ କରିଛି । ବିଜେପିର କେବଳ ୨୯ ପ୍ରତିଶତ ପ୍ରାର୍ଥୀ ଅପରାଧିକ ମାମଲା ସହ ଜଡ଼ିତ ଅଛନ୍ତି ।
ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେଇଥିବା ୧୩ ଜଣ ମହିଳା ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି । ତା ମଧ୍ୟରୁ ୨ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି । ଏଡିଆର୍ ରିପୋର୍ଟରେ ଦିଲ୍ଲୀର ୧୬ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ରେଡ୍ ଆଲର୍ଟରେ ରଖାଯାଇଛି । ଯେଉଁଠି ତିନି ଜଣରୁ ଅଧିକ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ୬ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାବେଳେ, ଜଙ୍ଗପୁରାର ୫ ପ୍ରାର୍ଥୀଙ୍କ ବିରୋଧରେ, ମଟିୟାଲା, ଦ୍ୱାରକା, ଜନକପୁରୀ ଏବଂ ଓଖଲାର ୪ ଜଣ ଲେଖାଏଁ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।