କନକ ବ୍ୟୁରୋ : ଆଗରୁ ନାବାଳିକାଙ୍କୁ ଯୌନ ନିର୍ଯାତନାର ଖବର ଆସୁଥିଲା । ହେଲେ ଏବେ ଏହାସହ ତାଳଦେଇ ବଢ଼ୁଛି ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ । ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର, ଗୁଣାତ୍ମକ ଶିକ୍ଷାର ଅଭାବ ଯୋଗୁଁ ଏହା ବଢ଼ୁଛି । ପକ୍ସୋ ମାମଲା ବଢ଼ିବା ପରେ ଏହାକୁ ନେଇ ହୋଇଥିବା ମାନସ ମନ୍ଥନରେ ଏଭଳି ଆଲୋଚନା ହୋଇଛି । ପର୍ଣ୍ଣୋଗ୍ରାଫି, ଫେକ୍ ୱେବସାଇଟ୍ ଜରିଆରେ ଠକେଇ, ନିଶା କାରବାର ଭଳି ମିଛ ଅଭିଯୋଗ ଆଣି ଡିଜିଟାଲ ଆରେଷ୍ଟ, ଅଭିଭାବକଙ୍କୁ ବ୍ଲାକମେଲ୍ ଭଳି ଘଟଣା ସାମ୍ନାକୁ ଆସୁଛି । ଏମିତିକ ଗେମିଂ ଆପ୍ ଜରିଆରେ କୁନି ପିଲାଙ୍କୁ ଶିକାର କରୁଛନ୍ତି ସାଇବର ଠକ । ଯାହାକୁ ରୋକିବା ଦିଗରେ ଫୋକସ କରିଛି କମିସନରେଟ୍ ପୁଲିସ । ବ୍ୟସ୍ତବହୁଳ ଜୀବନରେ ବାପା, ମା’ ପିଲାଙ୍କ ଧ୍ୟାନ ରଖୁନଥିବା ଓ ଯୌଥ ପରିବାରର ଅଭାବ ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ଶିଶୁ ଚାଲାଣ ରୋକିବାକୁ ଟେକ୍ନିକାଲ୍ ସପୋର୍ଟ ଏଜେନ୍ସି ପକ୍ଷରୁ ତିଆରି ହୋଇଛି ସ୍ପେଶାଲ୍ ସେଲ୍ । କୋର୍ଟ ପକ୍ଷରୁ ଜାରି ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ ଲାଗି ବି ନିର୍ଦ୍ଦେଶ ରହିଛି । ସେପଟେ ସୁସ୍ଥ ସମାଜ ଗଢ଼ିବା ଦିଗରେ ପୋଲିସ, ଏନ୍ଜିଓ ତଥା ଅଭିଭାବକଙ୍କ ସହଯୋଗ ଆବଶ୍ୟକ ଥିବା କହିଛନ୍ତି ସମାଜସେବୀ । ରାମମନ୍ଦିର ସାମ୍ନାରୁ ପିଲାଚୋରି । ଡେଲାଙ୍ଗ ରତନପୁରରେ ଶିଶୁ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଓ ହତ୍ୟା । ପାଞ୍ଚଗାଁ ଓ ପଳାଶୁଣିରୁ ଛାତ୍ର ନିଖୋଜ । ରାଜଧାନୀ ଆଖପାଖରେ ଗୋଟିଏ ପରେ ଗୋଟିଏ ଶିଶୁ ନିର୍ଯାତନା ମାମଲା ଚାଲେଞ୍ଜ ସୃଷ୍ଟି କରିଛି । ସାରା ରାଜ୍ୟରେ ପ୍ରତିଦିନ ଏମିତି କେତେ ଘଟଣା ଘଟୁଥିବ? ତାହାକୁ ନେଇ ଉଠିଛି ପ୍ରଶ୍ନ ।