କନକ ବ୍ୟୁରୋ: ଆଜିଠୁ ସ୍ୱାଭାବିକ ହେଲା ଶାସନ ବ୍ୟବସ୍ଥା । ତିନି ଦିନ ଧରି ରାଜ୍ୟବ୍ୟାପି ଓଏଏସମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଅଟକି ରହିଥିଲା ପ୍ରାଶାସନିକ ବ୍ୟବସ୍ଥା । ଆଜିଠୁ ପୁଣି କାର୍ଯ୍ୟରେ ଯୋଗ ଦେଲେ ଅଧିକାରୀ । ତହସିଲ, ବ୍ଳକ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଲୋକେ ନିରାଶ ହୋଇ ଫେରୁଥିଲେ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ପ୍ରଚ୍ଛଦପଟରେ ବଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହାତ ରହିଥିବା ଅଭିଯୋଗ ଆଣିଥିଲା ଓଏଏସ୍ ସଂଘ । ଏହି ବିଜେପି ନେତାଙ୍କ ଗିରଫ ଦାବିରେ ଅଡ଼ି ବସିଥିଲେ ଓଏଏସ୍ ଅଧିକାରୀ ।
ଜଗନ୍ନାନ ପ୍ରଧାନ ଗିରଫ ହେବାପରେ ଆଜିଠୁ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲିଛି । ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଏଏସ୍ ଅଧିକାରୀ । ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।
ଜାମିନ୍ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ । ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆତ୍ମସମର୍ପଣ ପରେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ୍ । ଭୁବନେଶ୍ୱର କୋର୍ଟରେ ହାଜର ହେଲା ପରେ ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି । ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ପ୍ରାଥମିକ ତଦନ୍ତ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଛି ପୁଲିସ । ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଛି ।
ଗୁରୁବାର ରାତିରେ ନିଜ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଆକ୍ରମଣ ପାଇଁ ଷଡ଼୍ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଜଗନ୍ନାଥ ପ୍ରଧାନଙ୍କ ଦୁଇ ଜଣ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶେଷରେ ଡାକ୍ତରଖାନାରୁ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କର ଜାମିନକୁ ନାମଞ୍ଜୁର କରିଦେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ଯାଇଛନ୍ତି ଜଗନ୍ନାଥ ପ୍ରଧାନ ।