ଅଭିଯୋଗ ଶୁଣୁଛନ୍ତି ସରକାର : ପ୍ରଶାସନ କାନରେ ପଡୁନି ଲୋକଙ୍କ ଦୁଃଖ , ସରକାରଙ୍କୁ ବଦନାମ କରୁଥିବା ବାବୁଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?

ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ ହେଉନଥିବାରୁ ଲୋକେ ନିରୁପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରୁଛନ୍ତି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ କିଏ ସେହି ଅଫିସର ଯିଏ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ଫେଲ୍‌ ମାରୁଛନ୍ତି ?

Government

Government Photograph: (KanakNews)

କନକ ବ୍ୟୁରୋ : ପ୍ରାଶାସନିକ କଳର ବିଫଳତା, ରାଜଧାନୀ ଭୁବନେଶ୍ୱରରେ ଜଳଜଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲାଗୁଥିବା ହଜାରେ ଜଣିଆ ଲୋକଙ୍କ ଧାଡ଼ି ଏହାର ପ୍ରମାଣ । ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ ହେଉନଥିବାରୁ ଲୋକେ ନିରୁପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରୁଛନ୍ତି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ କିଏ ସେହି ଅଫିସର ଯିଏ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ଫେଲ୍‌ ମାରୁଛନ୍ତି ? ଆଉ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ? 

ବାଲେଶ୍ୱର ବସ୍ତା ଅଞ୍ଚଳର ଯୁବକଙ୍କ ଭିତରେ ଥିବା କ୍ଷୋଭ କିଛି ଏଭଳି ଢଙ୍ଗରେ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ବାହାରିବା ପରେ ମିଳିଥିବା ପ୍ରତିଶ୍ରୁତି ପତ୍ରକୁ ଚିରି ଦେଇଛନ୍ତି ଦିବ୍ୟାଙ୍ଗ ଯୁବକ ରଞ୍ଜିତ ମାନା । ତାଙ୍କ ଅଭିଯୋଗ ହେଲା ପୂର୍ବରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ଥିବାବେଳେ ଏହାକୁ ୭୫ ପ୍ରତିଶତ କରି ଭତ୍ତା କମାଇ ଦିଆଯାଇଛି । ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ଶୁଣିନାହାନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅଭିଯୋଗ ଶୁଣାଣି ପରେ ଖୋଦ ମନ୍ତ୍ରୀ ତାଙ୍କୁ ପୁଣି ଜିଲ୍ଲାପାଳଙ୍କ ନିକଟକୁ ଯିବା ପାଇଁ କହିଛନ୍ତି । ଠିକ୍ ସେହିପରି ଭିମସାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବୁର୍ଲାର ନାରାୟଣ ବାଗ। ଭିମସାରରେ ଗେଟ୍‌କିପର ଭାବେ କାମ କରୁଥିଲେ ନାରାୟଣ । ସରକାରୀ ଚାକିରିରେ ଥିବାବେଳେ ତାଙ୍କୁ ୨୦୦୭ରେ ବିନା ନୋଟିସ୍‌ରେ ବାହାର କରିଦିଆଗଲା । ପୁନଃ ନିଯୁକ୍ତି ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ବି କାର୍ଯ୍ୟକାରୀ କରାଯାଉନି । ଏ ଦପ୍ତରରୁ ସେ ଦପ୍ତର ଦୌଡୁଛନ୍ତି । ସମସ୍ୟାର ସମାଧନ ନହେଲେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତିଥର ହଜାରେ ଲୋକଙ୍କ ଅଭିଯୋଗର ଶୁଣାଣି ହେଉଛି । ପ୍ରାୟ ୯୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ସରକାରୀ ଭାବେ ଦାବି କରାଯାଉଛି । କିନ୍ତୁ ପ୍ରଶ୍ନ ଉଠୁଛି, କିଏ ସେହି ଅଫିସର ଯିଏ ସାଧାରଣ ଲୋକଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି ? ତୃଣମୂଳ ସ୍ତରରେ କାମ କରୁଥିବା ବିଡିଓ, ତହସିଲଦାର, ଏସ୍‌ଡିପିଓ, ଜିଲ୍ଲାପାଳ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ କାହିଁକି ? ଲୋକଙ୍କ ପଇସାରେ ପକେଟ୍‌ ଗରମ କରୁଥିବା ବାବୁମାନେ କାହିଁକି ହେବେନି ଉତ୍ତରଦାୟୀ ? ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ଏହି ଅଧିକାରୀମାନଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ? ସୁଶାସନର ମଡେଲ ହେବାକୁ ସ୍ୱପ୍ନ ଦେଖୁଥିବା ଓଡ଼ିଶା ସରକାର ବାବୁଙ୍କ ଉପରେ ନିୟନ୍ତ୍ରଣ ନରହିଲେ ଏମିତି ଅପବାଦ ମୁଣ୍ଡାଇବାକୁ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe