କନକ ବ୍ୟୁରୋ : ବାଲି ଚୋରି ରୋକିବା ପାଇଁ ରାସ୍ତା ଖୋଳିଦେଲା ପ୍ରଶାସନ। କାହାକୁ ଖାତିର ନକରି ଭରା ନଦୀରୁ ବାଲି ଚୋରି କରି ନେଉଥିଲେ ମାଫିଆ । ଯେତେ ବାରଣ କଲେ ବି ମାନିଲେ ନାହିଁ । ବାଲି ଲୁଟ୍‌ରେ ବ୍ରେକ୍ ଲାଗି ପାରୁନାହିଁ । ବେଆଇନ୍‌ ଭାବେ ନିଲାମ ନଥାଇ ଘାଟରୁ ବାଲି ଉତ୍ତୋଳନ କରି ମାଫିଆ ମାଲାମାଲ ହେଉଛନ୍ତି । ଆଉ ସରକାର ରାଜସ୍ୱ ହରାଉଛନ୍ତି ।

Advertisment

ବାରମ୍ବାର ଅଭିଯୋଗ ହେବା ପରେ ଆଜି ବେଆଇନ ବାଲି ଘାଟରେ ପହଞ୍ଚି ମାଇନିଂ ବିଭାଗ ଏବଂ ତହସିଲଦାର ବାଲିଘାଟ ରାସ୍ତାକୁ ଖୋଳି ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ତହସିଲ ଅଧିନ ରାଇଦାଣ୍ଡିଆ ଠାରେ ସୋନ ନଦୀରେ ବେଆଇନ ବାଲିଘାଟରୁ ବାଲି ଉତ୍ତୋଳନ ହେଉଛି ।

ଆଜି ଉଦଳା ତହସିଲଦାରଙ୍କ ସମେତ ଉଦଳା ପୋଲିସ ଓ ମାଇନିଂ ବିଭାଗ ଅଧିକାରୀ ମିଳିତ ଭାବେ ଘାଟରେ ଚଢ଼ାଉ କରିଥିଲେ । ନଦୀରୁ ବାଲି ବୋଝେଇ ଗାଡ଼ି ବାହାରିବାକୁ ଥିବା ରାସ୍ତାକୁ ଜେସିବି ସହାୟତାରେ ଖୋଳି ଦେଇଛନ୍ତି । ବାଲି ଚୋରା ଚାଲାଣ ରୋକିବା ପାଇଁ ଏଭଳି କରାଯାଇଥିବା କହିଛନ୍ତି ମାଇନିଂ ଅଧିକାରୀ ।