କନକବ୍ୟୁରୋ : ନୟାଗଡ଼ ଓ ଅନୁଗୁଳ ଜିଲ୍ଲାର ଅଂଚଳକୁ ନେଇ ଘୋଷିତ ହୋଇଛି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ପ୍ରକଳ୍ପ ଅଧିନ ଅଂଚଳରେ ନୟାଗଡ ଜିଲ୍ଲାର ୩ଟି ଗାଁ ରହିଥିବା ବେଳେ ଏବେ ଏ ଗୁଡିକୁ ବିସ୍ଥାପନ ପାଇଁ ଉଦ୍ୟମ କରୁଛି ବନ ବିଭାଗ । ଥଇଥାନ ପ୍ରତିଶ୍ରୁତି ଦେଇ ଗାଁ ଗାଁ ବୁଲି ସଭା କରୁଛି ବନ ବିଭାଗ । କିନ୍ତୁ ସଫାସଫା ମନା କରିଦେଉଛନ୍ତି ଗ୍ରାମବାସୀ । ନୟାଗଡ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ରହିଛି ୩ଟି ଗାଁ । କୁତୁରି, ମୁସୁଗୁଡ଼ା ଆଉ ସଲପଗଣ୍ଡା । କୋର ଏରିଆରୁ ଏହି ଗାଁ ଗୁଡିକୁ ବିସ୍ଥାପନ କରିବା ପାଇଁ ଉଦ୍ୟମ କରୁଛି ବନ ବିଭାଗ । କେମିତି ଚାଲିଛି ପ୍ରକ୍ରିୟା ? ଜଙ୍ଗଲ ଅଧିକାର ଆଇନ୍ର ପାଳନ ହେଉଛି କି ନାହିଁ ? ସେ ସମସ୍ତ ବିଷୟରେ ତଦାରଖ କରାଯାଇଛି ।
ଗାଁରେ ଅପହଞ୍ଚ ମୌଳିକ ସୁବିଧା । ନାନା ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ମୁଣ୍ଡପିଛା ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଥଇଥାନର ପ୍ରତିଶ୍ରୁତି ଦେଇ ବିସ୍ଥାପନ କରିବାକୁ ଗ୍ରାମସଭା କରୁଛି ପ୍ରଶାସନ । କିନ୍ତୁ ଲୋକମାନେ ଭିଟାମାଟି ଛାଡିବାକୁ ଅମଙ୍ଗ ହେଉଛନ୍ତି । କାରଣ ଆଗରୁ ଅନେକ ବିସ୍ଥାପିତଙ୍କୁ ପ୍ରତିଶ୍ରୁତି ଦେଇ ପ୍ରଶାସନ ପାଳନ କରୁନଥିବା ଅଭିଯୋଗ କରିଛନ୍ତି । ପ୍ରଶାସନ ପ୍ରତିଶ୍ରୁତିକୁ ବିଶ୍ୱାସକୁ ନେଇ ପାରୁନାହାନ୍ତି ୩ ଗାଁର ଅଧିବାସୀ । ଆଉ ପ୍ରଶ୍ନ କରିଛନ୍ତି ଏହି ଜଙ୍ଗଲକୁ କୋର ଏରିଆରେ ରୂପାନ୍ତରିତ କରିଛି କିଏ ?
ସେପଟେ ବାଘଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ବନ ବିଭାଗ ନିଜେ ନଷ୍ଟ କରି , ମଣିଷଙ୍କୁ ତଡ଼ି ବାଘ ରଖିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି । ହୀରାକୁଦ ବିସ୍ଥାପିତ ହୁଅନ୍ତୁ କିମ୍ବା ଦଶପଲ୍ଲା କୁଆଁରିଆ ବିସ୍ଥାପିତ ହୁଅନ୍ତୁ । ବର୍ଷ ବର୍ଷ ପରେ ବି ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି । ଏଭଳି ସ୍ଥିତିରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରଥମେ ଥଇଥାନ ଓ ପରେ ବିସ୍ଥାପନ ଜରୁରୀ ବୋଲି ଦାବି ହେଉଛି ।