କନକ ବ୍ୟୁରୋ : କଟକ ନିଶ୍ଚିନ୍ତକୋଇଲି ବ୍ଲକ କର୍ମବୀର ଗୌରୀଶଙ୍କର ରାୟଙ୍କ ଗାଁକୁ ପ୍ରଶାସନିକ ଅବହେଳା ଚିଠାରେ ଆଉ ଏକ ଫର୍ଦ୍ଦ । କିଛିଦିନ ତଳେ ୪୮ କୋଟି ବ୍ୟୟରେ ଲୁଣା ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ନିର୍ମାଣ ବନ୍ଦ କରିଥିଲେ ସରକାର । ଏବେ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନୂତନ ଗୃହ ନିର୍ମାଣ ବନ୍ଦ ହୋଇପଡ଼ିଛି ।

Advertisment

ଚାରି ଆଡ଼େ ଭଙ୍ଗା କାନ୍ଥ, ଅନାବନା ଗଛ ଓ ଭଙ୍ଗା କାଚରେ ଭରପୁର । ଡାକ୍ତରଖାନାର ଏଭଳି ଅବସ୍ଥା । କଟକ ଜିଲ୍ଲାର ସର୍ବପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ୧୦୬ ବର୍ଷର ଡାକ୍ତରଖାନା ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ବ୍ରିଟିଶ ଅମଳରୁ ଭାଷା ଭିତ୍ତିକ ରାଜ୍ୟ ପ୍ରତିଷ୍ଠାର ଉଦ୍ୟୋକ୍ତା କର୍ମବୀର ଗୌରୀଶଙ୍କର ରାୟ ନିଜସ୍ୱ ଜମିରେ ପ୍ରତିଷ୍ଠା କରିଥିଲେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର । ଯାହା ଏବେ ଜରାଜିର୍ଣ୍ଣ ।

ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ଆଳରେ ପୁରୁଣା ଘରକୁ ଭାଙ୍ଗି ଦିଆଯାଇଛି । ଗତ ମାର୍ଚ୍ଚ ମାସରେ ଶିଳାନ୍ୟାସ କରିଥିଲେ ମାହାଙ୍ଗାର ପୂର୍ବତନ ବିଧାୟକ । ଠିକାଦାର ନିର୍ମାଣ ସାମଗ୍ରୀ ଠୁଳ କରିଛି । କିନ୍ତୁ ରହସ୍ୟଜନକ ଭାବେ ବନ୍ଦ ହୋଇପଡିଛି ନିର୍ମାଣ କାର୍ଯ୍ୟ । କିନ୍ତୁ ନୂଆଘର ନିର୍ମାଣ ନହେବାରୁ ରୋଗୀଙ୍କୁ ଅସୁବିଧା ଭୋଗିବାକୁ ପଡୁଛି ।

ଅସୁରେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଜଣ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ଅଛନ୍ତି । ଷ୍ଟାଫ କ୍ୱାର୍ଟର ବି ଅଛି । କିନ୍ତୁ ରୋଗୀ ଦେଖିବା ପାଇଁ ଘର ନାହିଁ କି ଔଷଧ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଗୋଟିଏ ଘରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲାବ୍ରୋଟାରୀ ଟେକ୍ନିସିଆନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ୪ବର୍ଷ ହେଲାଣି କାମଚଳା ଭାବେ ପ୍ରସୂତୀ ବିଭାଗ କକ୍ଷରେ ସ୍ୱାସ୍ଥ୍ୟସେବା ଚାଲିଛି ।

ଅସ୍ତିତ୍ୱ ଖୋଜୁଛି କର୍ମବୀର ଗୌରୀଶଙ୍କର ରାୟଙ୍କ ହାତ ତିଆରି ଡାକ୍ତରଖାନା । ସ୍ମାରକୀ ଅନୁଷ୍ଠାନ ତ ହେଲାନାହିଁ । ରୋଗୀ ସେବା ପାଇଁ କେବେ ସରକାର ପ୍ରସ୍ତାବିତ ଗୃହ ନିର୍ମାଣ କାର୍ୟ୍ୟକୁ ତ୍ୱରାନ୍ୱିତ କରିବେ ତାହା ଆଗାମୀ ଦିନରେ ଜଣାପଡିବ ।