କନକ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ପୁରୀର ସମସ୍ତ ମଠଠୁ ଆରମ୍ଭ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଗହଳି ଚହଳି। ସରକାରଙ୍କ ସ୍ଥାୟୀ ହବିଷ୍ୟାଳି ଶିବିରରେ ଅଢେଇ ହଜାର ବ୍ରତଧାରୀଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ସେପଟେ କିନ୍ତୁ ଅଣ ପଞ୍ଜୀକୃତ ହବିଷ୍ୟାଳିଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

ରାତି ପାହିଲେ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ପୁରୀର ସମସ୍ତ ମଠଠୁ ଆରମ୍ଭ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଗହଳି ଚହଳି। ସରକାରଙ୍କ ସ୍ଥାୟୀ ହବିଷ୍ୟାଳି ଶିବିରରେ ଅଢେଇ ହଜାର ବ୍ରତଧାରୀଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ସେପଟେ କିନ୍ତୁ ଅଣ ପଞ୍ଜୀକୃତ ହବିଷ୍ୟାଳିଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। 

କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ। ମାସେ କାଳ ହବିଷାନ୍ନ ଖାଇ ବ୍ରତ ପାଳିବେ ହବିଷ୍ୟାଳି। ଏଥର ବିଭିନ୍ନ ଜିଲ୍ଲାରୁ ଅଢେଇ ହଜାର ହବିଷ୍ୟାଳି ସରକାରଙ୍କ ସ୍ଥାୟୀ ଶିବିରରେ ରହିବା ପାଇଁ ପଞ୍ଜୀକରଣ କରିଛନ୍ତି। ଏହା ବାଦ୍ ଅନେକ ହବିଷ୍ୟାଳି ପଞ୍ଜୀକରଣ ନକରି ସରକାରୀ ଶିବିରରେ ରହିବା ପାଇଁ ଆସିଛନ୍ତି ପୁରୀ। କିନ୍ତୁ ସେମାନଙ୍କୁ ରଖିବା ପାଇଁ ପ୍ରଶାସନ ଅନୁମତି ନଥିବାରୁ ଦେଖାଦେଇଥିଲା ଅସନ୍ତୋଷ। ପୁରୀ ବଳଗଣ୍ଡି ଛକରେ ଥିବା ବୃନ୍ଦାବତୀ ନିବାସ ଆଗରେ ଆନ୍ଦୋଳନ କରିଥିଲେ ବ୍ରତଧାରୀ। 

ଜିଲ୍ଲା ପ୍ରଶାସନ ପକ୍ଷରୁ ନରେନ୍ଦ୍ର କୋଣ, ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା ଓ ପୌରସଂସ୍ଥା କଲ୍ୟାଣି ମଣ୍ଡପରେ ଅଢେଇ ହଜାର ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନେ କିଭଳି ସୁରୁଖୁରୁରେ ଦର୍ଶନ କରିବେ, ମହାପ୍ରସାଦ ସେବନ କରିବେ, ସେନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ, ବେଳାଭୂମିରେ ବାଲୁକା ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥା ସହିତ ଶିବିରରୁ ଶ୍ରୀମନ୍ଦିର ପର୍ୟ୍ୟନ୍ତ ଭଲରେ ଯାତାୟତ କରିପାରିବେ ତା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ। ତେଣୁ ପ୍ରଥମେ ପଞ୍ଜୀକୃତ ବ୍ରତଧାରୀଙ୍କୁ ଥଇଥାନ ପରେ ଯଦି ଖାଲି ରୁହେ, ଅନ୍ୟମାନଙ୍କ କଥା ଚିନ୍ତା କରାଯିବ ବୋଲି କହିଛି ପ୍ରଶାସନ। 

ସେପଟେ ହବିଷ୍ୟାଳିଙ୍କ ପାଇଁ ଆଗକୁ ଦର୍ଶନ ବ୍ୟବସ୍ଥା ଆହୁରି ଶୃଙ୍ଖଳିତ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ରହଣିରେ ଅସୁବିଧା ହେଲେ ହେଲ୍ପ ଲାଇନ ନମ୍ବରରେ ଜଣାଇ ପାରିବେ। କିନ୍ତୁ ଯେଉଁମାନେ ଏଥର ପଞ୍ଜୀକରଣ କରିନାହାନ୍ତି, ଆଗାମୀ ବର୍ଷ ପଞ୍ଜୀକରଣ କରି ଆସିବାକୁ ପରାମର୍ଶ ଦେଇଛନ୍ତି ଆଇନ ମନ୍ତ୍ରୀ। 

କାଲିଠୁ ଶ୍ରୀକ୍ଷେତ୍ରରେ ମାସେ ଧରି ହବିଷ୍ୟାଳି ସେମାନଙ୍କ ବ୍ରତ ପାଳନ କରିବେ। ତେବେ ଦେଖିବାର କଥା, ସେମାନଙ୍କ ସୁରକ୍ଷା ଓ ବ୍ୟବସ୍ଥା ପାଇଁ ପ୍ରଶାସନ କେତେଦୂର ସଫଳ ହେଉଛି।