କନକ ବ୍ୟୁରୋ : ବିନା ପରିବେଶ ମଞ୍ଜୁରୀ ଓ ଜନ ଶୁଣାଣିରେ ହୋଇଗଲା ଭୂମି ପୂଜନ । ମଞ୍ଚରେ ମୁଖ୍ୟମନ୍ତ୍ରୀ ଥିଲେ, ଶିଳ୍ପମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ମଧ୍ୟ ଥିଲେ । ଏମିତିକି ଜିଲ୍ଲାର ମୁଖିଆ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ଗତ ୨୭ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗାରେ ଥିବା ହିଣ୍ଡାଲକୋ ପଡ଼ିଆରେ ଚାଲିଥିଲା ବିଶାଳ କାର୍ଯ୍ୟକ୍ରମ । ୨୧ ହଜାର ୧୬୨ କୋଟି ଟଙ୍କାର ଆଲୁମିନିୟମ ସ୍ମେଲ୍ଟିଂ ୟୁନିଟର ସଂପ୍ରସାରଣ ପାଇଁ ଭୂମି ପୂଜନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଆଶ୍ୟର୍ଯ୍ୟର କଥା ଏହି ପ୍ରକଳ୍ପ ପାଇଁ ଏଯାଏଁ ମିଳିନି ପରିବେଶ ମଞ୍ଜୁରୀ କି ହୋଇନି ଜନ ଶୁଣାଣି ।

Advertisment

୨୨ ଜାନୁଆରି ୨୦୨୬ରେ ଜନ ଶୁଣାଣି ପାଇଁ ପ୍ରଦୂଷଣ ବୋର୍ଡ ପାଖରେ ଆବେଦନ କରିଛି କମ୍ପାନି । ସେହିପରି ୩ ଅକ୍ଟୋବର ୨୦୨୫ରେ ପରିବେଶ ମଞ୍ଜୁରୀ ପାଇଁ କମ୍ପାନି ଆବେଦନ କରିଥିବା ଏହି ଚିଠିରେ ଉଲ୍ଲେଖ ରହିଛି । ୯ ଅକ୍ଟୋବର ୨୦୨୫ ଟର୍ମ ଅଫ ରେଫରେନ୍ସ ଜାରି ହୋଇଥିବା ମଧ୍ୟ ଏହି ଆବେଦନ ପତ୍ରରେ ଲେଖାଅଛି । ତେବେ ବିନା ପରିବେଶ ମଞ୍ଜୁରୀରେ କେମିତି ମୁଖ୍ୟମନ୍ତ୍ରୀଙ୍କୁ ଡାକି ଭୂମି ପୂଜନ କରାଇଦେଲା କମ୍ପାନି ।

ଅଧିକ ପଢ଼ନ୍ତୁ : ରେଲବାଇରେ ଓଡ଼ିଶାକୁ ୧୦ ହଜାର ୯୨୮ କୋଟିର ଅନୁଦାନ, ପ୍ରେସମିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କମ୍ପାନି ପ୍ରତି କାହାର ଏତେ ଅନୁକମ୍ପା ଯେ ବିନା ଜନ ଶୁଣାଣିରେ ଗ୍ରୀନ ସିଗନାଲ୍ ପାଇଗଲା । ପରିବେଶ ମଞ୍ଜୁରୀ ନିୟମର ଧଜିଆ ଉଡ଼ାଯାଉଥିଲେ ମଧ୍ୟ କେହି କାହିଁକି ମୁହଁ ଖୋଲୁ ନାହାଁନ୍ତି ନା କଲେବଳେ କୌଶଳେ ପରିବେଶ ମଞ୍ଜୁରୀ ମିଳିବ ହିଁ ମିଳିବ ବୋଲି ଭାବି ନେଇଛନ୍ତି ସରକାର ଓ ପ୍ରଶାସନ । ଏନେଇ ସ୍ଥାନୀୟ ଲୋକଙ୍କ ମନରେ ଆକ୍ରୋଶ ବଢ଼ିଥିବା ବେଳେ ପ୍ରଶାସନ କି ସରକାର ଉତ୍ତର ଦେବାକୁ ମନା କରୁଛନ୍ତି ।