ଆଧାର ନାହିଁ ବୋଲି ଚାଉଳ ନାହିଁ ; ଦୁର୍ଦ୍ଦିନରେ ଦିବ୍ୟାଙ୍ଗ ମହିଳା

ଆଧାର ନାହିଁ ବୋଲି ବନ୍ଦ ହୋଇଗଲା ଆହାର । ହୋଇପାରିଲାନି ଇ-କେୱାଇସି ଅପଡେଟ୍। ଖାଦ୍ୟ ସୁରକ୍ଷା ଯୋଜନାରୁ କଟିଗଲା ନାଁ । ଭୋକ ଉପାସରେ ରାୟଗଡ଼ା ଦିବ୍ୟାଙ୍ଗ ମହିଳା ।

Adhaar problem

Adhaar problem Photograph: (KanakNews)

କନକ ବ୍ୟୁରୋ: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଲେ । ରାସନ କାର୍ଡ ଖଣ୍ଡେ ପାଇଲେ । ଦିଓଳି ଦୁଇ ମୁଠା ଖାଇବାକୁ ମଧ୍ୟ ମିଳିଲା । ହେଲେ ବର୍ତ୍ତମାନ ସରକାରଙ୍କ ଇ-କେୱାଇସି ଛଡାଇନେଲା ଦାନା । ଆଧାର କାର୍ଡ ନଥିବାରୁ ଆଧାର ଲିଙ୍କ ହୋଇପାରୁ ନାହିଁ । ତେଣୁ ଖାଦ୍ୟ ସୁରକ୍ଷା ଯୋଜନାରୁ ନାଁ କଟିଯାଇଛି । ଆଧାର କଟିଯିବା ପରେ ଆଧାର କାର୍ଡ କରିବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି ଦିବ୍ୟାଙ୍ଗ ମହିଳା । 

ଦିବ୍ୟାଙ୍ଗ ମହିଳା କାଡ୍‌ କାଡ୍ରାକା । ରାସନକାର୍ଡ ସହ ଆଧାର ସଂଯୋଗରେ ସରକାରଙ୍କ ଇ-କେୱାଇସି ତାଙ୍କ ଚାଉଳ ଛଡ଼ାଇ ନେଇଛି । ଆଧାର କାର୍ଡ କରିବାକୁ ଆବଶ୍ୟକୀୟ ପ୍ରମାଣପତ୍ର ନଥିଲାରୁ ଆଧାରକାର୍ଡ ହୋଇପାରୁନାହିଁ । ସେପଟେ ଆଧାରକାର୍ଡ ନଥିବାରୁ ଇ-କେୱାଇସି ହୋଇପାରିଲା ନାହିଁ । ତେଣୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଛନ୍ତି କାଡ୍‌ କାଡ୍ରାକା ।

ରାୟଗଡ଼ା ବ୍ଳକ ତାଡ଼ମା ପଞ୍ଚାୟତ ଅନ୍ତର୍ଗତ ଶାରାପାଡି ଗାଁରେ ପରିବାର ସହିତ ବାସ କରନ୍ତି ଦିବ୍ୟାଙ୍ଗ ମହିଳା କାଡ୍‌ କାଡ୍ରାକା । ଶାରୀରିକ ଅକ୍ଷମତା ଯୋଗୁଁ ଭଲରେ ଚାଲି ପାରନ୍ତି ନାହିଁ । ତଥାପି ଆଧାରକାର୍ଡ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଳକ କାର୍ଯ୍ୟାଳୟକୁ ଦୌଡି-ଦୌଡି ନୟାନ୍ତ ହେଲେଣି । ତଥାପି ଆଧାରକାର୍ଡ ହୋଇପାରୁ ନାହିଁ । ଆଧାର କାର୍ଡ ଆହାର ଅଟକାଇଥିବା ବେଳେ ଦିବ୍ୟାଙ୍ଗ ଭତ୍ତାଟିଏ ବି ମିଳୁନାହିଁ । ଅନ୍ୟ କୌଣସି ସରକାରୀ ସୁବିଧା ମଧ୍ୟ କାଡ୍‌ଙ୍କ ଠାରୁ ଦୂରେଇ ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe