କନକ ବ୍ୟୁରୋ : ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଘରିଛନ୍ତି । ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତା। କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏଥିସହ ଅକ୍ଟୋବର ମାସରେ ଚାଉଳ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ କରିଛି । ଜବାବରେ ବିଜେପି କହିଛି, ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । 

Advertisment

ବିରୋଧୀଙ୍କ ଅଭିଯୋଗ ପରେ ବର୍ଷିଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବ କଥାକୁ ଦୋହରାଇବା ସହ କହିଛନ୍ତି, ମେଡିକାଲ ରିପୋର୍ଟରୁ ଜଣାପଡିଛି ଫୁଡ ପଏଜନ ଯୋଗୁଁ ମୃତ୍ୟୁ ହୋଇଛି। ଏପଟେ ରାଜନୀତି ଆରମ୍ଭ ହୋଇଥିବାବେଳେ ସେପଟେ ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ପହଁଚି ତଦନ୍ତ କରିଛନ୍ତି ଆରଡିସି ରୂପାରୋଶନ ସାହୁ । ମୃତକଙ୍କ ପରିବାର ଏବଂ ଗୁରୁତରଙ୍କ ପରିବାରଙ୍କୁ ଭେଟି ପଚରାଉଚରା କରିଛନ୍ତି । 

ଗୋଟିଏପଟେ ରାଜନୀତି, ଆଉ ଗୋଟିଏ ପଟେ ତଦନ୍ତ ଭିତରେ କଟକ ବଡମେଡିକାଲରେ ୨ଜଣ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି । ବ୍ରହ୍ମପୁର ଏମକେସିଜିରେ ୪ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆମ୍ବ ଜାଉ ଖାଇବା ପଛର ସତ କଣ ତାହା ଏବେ ବି ପ୍ରଶ୍ନ ଘେରରେ ରହିଛି ।