କନକ ବ୍ୟୁରୋ : ଗୋ-ମାହିଷାଦି ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଆଦର୍ଶ ଗାଇ ଗୁହାଳରେ କେଳେଙ୍କାରି ହୋଇଥିବା ଅଭିଯୋଗ । ହିତାଧିକାରିଙ୍କ ଟଙ୍କା ସେମାନଙ୍କ ଅଗୋଚରରେ ହଡ଼ପ । ଅଭିଯୋଗ ପରେ ତଦନ୍ତକୁ ବାଟବଣା କରିବା ପାଇଁ ଅଭିଯୋଗକାରୀରିଙ୍କୁ ଟଙ୍କା ଫେରାଯାଇଛି ।

Advertisment

ଧରାକୋଟ ବ୍ଲକର ସରଧାପୁର ପଞ୍ଚାୟତରେ ଆଦର୍ଶ ଗାଈ ଗୁହାଳରେ ଟଙ୍କା ହରିଲୁଟ୍ ଅଭିଯୋଗ ଆସିଛି । ସରଧାପୁର ଗାଁର ଜଟିଆ ପ୍ରଧାନ, ୨୦୨୧-୨୦୨୨ରେ ନିଜ ଖର୍ଚ୍ଚରେ କରିଥିଲେ ଗୁହାଳ । ଏଥିପାଇଁ ଟଙ୍କାଟିଏ ମିଳିନି । ହେଲେ ଗୁହାଳ ସମ୍ପୂର୍ଣ୍ଣ ହୋଇଛି ଦର୍ଶାଇ ତାଙ୍କ ନାଁରେ ପୂରା ଟଙ୍କା ଉଠିସାରିଛି । ୬୯ ହଜାର ୭୮୫ ଟଙ୍କା ସନ୍ତୋଷ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କ ପାଖକୁ ଯାଇଥିବା ଅନ୍‌ଲାଇନ୍‌ରେ ଦର୍ଶାଇଛି ! ଏନେଇ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ତାଙ୍କୁ ଟଙ୍କା ଫେରାଯାଇଛି ।

ସେହିପରି, ୨୦୨୩-୨୪ ଆର୍ଥିକ ବର୍ଷରେ କୁଶରାବ ଗାଁର ସାରସ ପ୍ରଧାନ ଗୁହାଳ ଯୋଜନା ପାଇଥିଲେ । ତାଙ୍କ ଅଗୋଚରରେ ୧୬ ହଜାର ୫୯୦ ଟଙ୍କା ଅନ୍ୟ ଆକାଉଣ୍ଟକୁ ଛଡ଼ାଯାଇଛି ! ସେହି ଗାଁର ଶ୍ରୀନିବାସ ଗୌଡ଼ଙ୍କର ୬୭ ହଜାର  ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ଆସିଛି । ଉପଜିଲ୍ଲାପାଳ ଧରାକୋଟ ବିଡିଓଙ୍କୁ ଏହା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତର ଶହଶହ ହିତାଧିକାରୀଙ୍କ କେଳେଙ୍କାରୀର ଶିକାର ହୋଇଛନ୍ତି । ଟଙ୍କା ହଡପ କରିଥିବା ବ୍ୟକ୍ତି ବିଶେଷ ଏହାକୁ ରଫାଦଫା କରି ଖସିବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି । ଟଙ୍କା ଆତ୍ମସାତ କରିଥିବା ବ୍ୟକ୍ତିଙ୍କୁ କେବେ ମିଳିବ ଦଣ୍ଡ ? ଏହି କେଳେଙ୍କାରୀ ଧରାକୋଟରେ ସୀମିତ ନା ପୁରା ଜିଲ୍ଲାକୁ ବ୍ୟାପୀଛି ?