କନକ ବ୍ୟୁରୋ: ବଡ଼ଭାଇ ଶ୍ରୀବଳଭଦ୍ର , ଭଉଣୀ ସୁଭଦ୍ରା  ଏବଂ ଆୟୁଧ ଚକ୍ରରାଜ ସୁଦର୍ଶନଙ୍କ ସହ ମାଉସୀ ମାଆ ଘରେ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ । ଆଡ଼ପ ମଣ୍ଡପରେ ବସି ଭାରି ଖୁସିରେ ଶୁଣୁଛନ୍ତି ଭକ୍ତଙ୍କ ଗୁହାରି । ଭକ୍ତ ଓ ଭଗବାନଙ୍କ ଏହି ମିଳନ ସବୁଠୁ ସ୍ବତନ୍ତ୍ର । ଆଜି ନବମୀ ତିଥି, କାଲି ଦଶମୀ ତିଥିରେ ଆଡ଼ପ ମଣ୍ଡପ ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବିଜେ କରିବେ ଚତୁର୍ଦ୍ଧା ମୂରତି ।

Advertisment

ବ୍ରହ୍ମ ପୁରାଣ ଅନୁସାରେ, ମହାପ୍ରଭୁ ରତ୍ନ ସିଂହାସନରେ ୧୦ ବର୍ଷର ଦର୍ଶନର ପୁଣ୍ୟ ଶ୍ରୀଗୁଣ୍ଡିଚା ଦେଉଳରେ ଆଡ଼ପ ମଣ୍ଡପରେ ଥରୁଟିଏ ଦର୍ଶନ ସହ ସମାନ । ପୁଣି ଦିନ ଦର୍ଶନ ଠାରୁ ରାତ୍ରି ଦର୍ଶନର ପୁଣ୍ୟ ଦଶ ଗୁଣ ଅଧିକ । ଗୁଣ୍ଡିଚା ମନ୍ଦିରରେ ଶ୍ରୀ ବିଗ୍ରହଙ୍କୁ ଦର୍ଶନ କଲେ ଭକ୍ତି, ମୁକ୍ତି ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।

ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ରଚିତ ଶ୍ରୀ ଜଗନ୍ନାଥାଷ୍ଟକମରେ ରଥର ଆରୋହଣ କରି ଦୟା ସିନ୍ଧୁ ଶ୍ରୀଜଗନ୍ନାଥଙ୍କ ବିଜେ ଦର୍ଶନର ପୁଣ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସେଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସକଳ ଜଗତର ସର୍ବଶ୍ରେଷ୍ଠ ଠାକୁର ବୋଲି ଉଲ୍ଲେଖ କରାଯିବା ସହ  ’ଜଗନ୍ନାଥଃ ସ୍ବାମୀ ନୟନ ପଥଗାମୀ ଭବତୁମେ’ ବୋଲି ଜଗତଗୁରୁ ମହାପ୍ରଭୁଙ୍କ ସ୍ତୁତି ଗାନ କରିଛନ୍ତି । ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପରେ ବିଜେ କରିଥିବାବେଳେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ମିଳେ ।
 ଶ୍ରଦ୍ଧାଳୁମାନେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟାରେ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ନୃସିଂହ ମନ୍ଦିରରେ ସଙ୍କଳ୍ପ କରନ୍ତି ।ଏହାକୁ ମହାବେଦୀ ମହୋତ୍ସବ ବ୍ରତ ମଧ୍ୟ କୁହାଯାଏ । ଅଷ୍ଟମ ଦିବସରେ ବ୍ରତ ଉଦଯାପନ ହୁଏ । ଏହା ମହାବେଦୀ ମହୋତ୍ସବ ବ୍ରତ ଭାବେ ପରିଚିତ । ସେହିପରି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବିଜେକୁ ମହାବେଦି ଯୋଗ କୁହାଯାଏ ।