କନକ ବ୍ୟୁରୋ: ଏବେ ଗୁଣ୍ଡିଚା ମାଙ୍କ ପାଖରେ ବଡ଼ ଠାକୁର । ଆଡ଼ପ ମଣ୍ଡପ ଅର୍ଥାତ୍ ଜନ୍ମବେଦିରେ ବିଜେ କରିଛନ୍ତି ୪ ଠାକୁରଙ୍କ ସହ ଶ୍ରୀମଦନମୋହନ , ରାମକୃଷ୍ଣ । ଏଠାରେ ପହଞ୍ଚିବା ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହୋଇଛି ଅବଢ଼ା ସେବା । ମହାପ୍ରଭୁଙ୍କୁ ଲାଗି ହୋଇଛି ଆଡ଼ପ ଅବଢ଼ା । ଆଉ ଏହି ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ ।
ଜୈବିକ ଚାଉଳରେ ଏହି ଅବଢ଼ା ପ୍ରସ୍ତୁତ ହୋଇ ଚତୁର୍ଦ୍ଧା ମୂରତିଙ୍କୁ ଅର୍ପଣ କରାଯାଏ । ପ୍ରଭୁଙ୍କ ପାଇଁ କୋରାପୁଟରୁ ଏହି ଚାଉଳ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି । ଜୈବିକ ଚାଉଳ ଓ ଜୈବିକ ପରିବାରେ କୋଠଭୋଗ ପ୍ରସ୍ତୁତି ପାଇଁ ପୂର୍ବରୁ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ତେବେ ଜୈବିକ ଧାନ ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏଥିରେ କୌଣସି ରସାୟନିକ ସାର ପ୍ରୟୋଗ ହୋଇନଥିବା କୁହାଯାଉଛି । ଏପରି ଚାଷ ପାଇଁ କିଛି ଚାଷୀ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଜୈବିକ ଚାଉଳକୁ ମହାପ୍ରଭୁଙ୍କ ସକାଳ ଧୂପରେ ଖେଚୁଡ଼ି ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଛି । ତେବେ ବର୍ଷକେ ଥରେ ଆଡ଼ପ ଅବଢ଼ା ପାଇ ନିଜକୁ ଧନ୍ୟ ମନେ କରିଛନ୍ତି ଭକ୍ତ ।