କନକ ବ୍ୟୁରୋ: ବଲାଙ୍ଗିର-ବରଗଡ଼ ଜିଲ୍ଲା ସୀମାନ୍ତ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଆଦାନୀ ଗ୍ରୁପ ଜମି କିଣିଛି । ଗୁଜରାଟର ଅହମଦାବାଦସ୍ଥିତ ଆଦାନୀ କର୍ପୋରେଟ୍ ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ଼’ ନାଁରେ ସେଠି ଜମି କିଣାଯାଇଛି । ଆଉ ଏହାକୁ ଏନେଇ ଏବେ ତେଜିଛି ରାଜନୀତି । ଖାସ୍ କରି ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ଘେରିଥିବାବେଳେ, ପାଲଟା ଜବାବ ବି ଦେଇଛି ଭାରତୀୟ ଜନତା ପାର୍ଟି ।
ବୁଧବାର ବିଜେଡି ବିଧାୟକ କଳିକେଶ ସିଂ ଦେଓ କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ ପାହାଡ଼ ପାଖରେ ଆଦାନୀ ଗ୍ରୁପ କେଉଁ ଉଦ୍ଦେଶ୍ୟରେ ଜମି କିଣିଛି ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ। ତେବେ ହାତ ଦେବା ଆଗରୁ ଆଙ୍ଗୁଳି ଦିଆଯାଇଛି କି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ, ଗନ୍ଧମାର୍ଦ୍ଦନକୁ ନେଇ କୌଣସି ଯୋଜନା ଅଛି କି ? ସେ ନେଇ ସରକାର ସ୍ପଷ୍ଟୀକରଣ ଦେଲେ ଲୋକଙ୍କ ଆଶଙ୍କା ଦୂର ହେବ ବୋଲି କହିଛନ୍ତି କଳିକେଶ ।
ଅନ୍ୟପଟେ ଏହି ପ୍ରସଙ୍ଗରେ ସରକାର ଚୁପ ରହିଲେ, ଦ୍ୱନ୍ଦ ବଢିବ । ଗନ୍ଧମାର୍ଦ୍ଦନକୁ ନେଇ ଯଦି କିଛି ନାହିଁ, ତେବେ ପ୍ରଥମ ଦିନରୁ ସରକାର ସ୍ପଷ୍ଟ କରିଥାନ୍ତେ । ଲୋକଙ୍କୁ ଦ୍ୱନ୍ଦରେ ପକାଇ ନଥାନ୍ତେ। ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଲୋକଙ୍କ ଭାବାବେଗ ସହିତ ଜଡ଼ିତ। ଗନ୍ଧମାର୍ଦ୍ଧନ ପାହାଡ଼ର ପବିତ୍ରତା ରହିଛି । ୧୯୮୦ ରେ ଗନ୍ଧମାର୍ଦ୍ଧନକୁ ନେଇ ବଡ ଆନ୍ଦୋଳନ ହୋଇଥିଲା। ଲୋକଙ୍କ ଭାବାବେଗ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଗଲେ ସରକାର ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ଅଛି। ଗନ୍ଧମାର୍ଦ୍ଦନକୁ ନେଇ ଲୋକଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ନିଆଗଲେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାର ସମ୍ଭାବନା ଅଛି ବୋଲି କହିଛନ୍ତି ବିଜେଡି ବିଧାୟକ କଳିକେଶ ସିଂ ଦେଓ ।
ସେପଟେ ବିଜେଡିର ଏଭଳି ଆରୋପ ପରେ ଜବାବ ଦେଇଛି ବିଜେପି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ଓ କିଛି ଲୋକ ପ୍ରହେଳିକା ସୃଷ୍ଟି କରୁଛନ୍ତି । ୨୦୨୪ ମସିହା ଅକ୍ଟୋବର ୧୯ ତାରିଖରେ ଓଡ଼ିଶା ବାୟୋ ଡ଼ାଇଭରସିଟି ବୋର୍ଡ ଚିଠି କରିସାରିଛି । ଗନ୍ଧମାର୍ଦ୍ଧନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ରହିଛି । ସେ ଅଞ୍ଚଳର ଭାବାବେଗ ସହ ଜଡିତ ଗନ୍ଧମାର୍ଦ୍ଧନ ପର୍ବତ । ତେବେ ୨୪ ବର୍ଷରେ ପୂର୍ବ ସରକାର ଯାହା କରିଛନ୍ତି ତାର ଉତ୍ତର ଦେଇନାହାନ୍ତି, ଝାରସୁଗୁଡା ଜିଲ୍ଲାରେ ଆଜି କିଏ ପରିବେଶ ନଷ୍ଟ କରିଛି ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର । ସେହିପରି ପ୍ରଥମ ଥର ପାଇଁ ସରକାର ସବୁ ଦଳ ବିଧାୟକଙ୍କୁ ବସାଇ ପରାମର୍ଶ ନେଇଛନ୍ତି । ହେଲେ ବିରୋଧୀ କିନ୍ତୁ ଈସୁ ନଥିଲେ ବି ଈସୁ କରୁଛନ୍ତି । ତେଣୁ ବିରୋଧୀ ପ୍ରମାଣ ଦିଅନ୍ତୁ, ଆମେ ବି ପ୍ରମାଣ ଦେବୁ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠୀ ।