କନକ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ । ବୈଠକରେ ୩ଟି ପ୍ରସ୍ତାବକୁ ମିଳିଛି କ୍ୟାବନେଟ୍ ମଞ୍ଜୁରୀ । ବିଶେଷ କରି ଅଗ୍ନିବୀରଙ୍କୁ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ସଂରକ୍ଷଣ, ଗୋପାଳପୁର ପୋର୍ଟର ବିକାଶ ପାଇଁ ଆଦାନୀ ଗ୍ରୁପକୁ ମାଲିକାନା ହସ୍ତାନ୍ତର, ଓ ବେସାମରିକ ସେବା କ୍ଷେତ୍ରରେ କର୍ମଚାରୀଙ୍କ ସନ୍ତାନଙ୍କୁ ନିଯୁକ୍ତି ପରି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । 
ଗୋପାଳପୁର ବନ୍ଦରର ୯୫% ଅଂଶଧନ ଅଦାନୀ ପାଖରେ ରହିବ ଏବଂ ୫ % ଅଂଶଧନ ଷ୍ଟିଭଡୋର ପାଖରେ ରହିବ । ଗୋପାଳପୁର ପୋର୍ଟର ସେୟାର ହୋଲଡିଙ୍ଗକୁ ଦୃଢ କରିବାକୁ ଏବଂ ଏହାକୁ ମଲ୍ଟି କାର୍ଗୋ ପୋର୍ଟରେ ପରିଣତ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି । କିଛି ବର୍ଷ ହେବ ଗୋପାଳପୁର ପୋର୍ଟ ନିଜ ଦକ୍ଷତା ଅନୁସାରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଏହାକୁ ଅଧିକ ସମୃଦ୍ଧ କରିବା ସହ ରାଜ୍ୟର ଆର୍ଥିକ ବିକାଶ କରିବା ଉଦ୍ଦେଶ୍ୟରେ ଆଦାନୀ ଗ୍ରପୁକୁ ଏହାର ୯୫ ପ୍ରତିଶତ ଅଂଶଧନ ହସ୍ତାନ୍ତର କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Advertisment

ଗୋପାଳପୁର ପୋର୍ଟ୍ ଲିମିଟେଡରେ ଓଡିଶା ଷ୍ଟିଭେଡୋରସ ଲିମିଟେଡ, ନୋବଲ ଗ୍ରୁପ ଲିମିଟେଡ ଓ ସାରା ଇଣ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥାଇ ଗୋପାଳପୁର ବନ୍ଦରର ବିକାଶ କରିଥିଲେ । ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଥିଲା । ବର୍ତ୍ତମାନ ଗୋପାଳପୁର ବନ୍ଦର ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଅଛି ଏବଂ ଏହାର ମୋଟ ଆୟରୁ ୭.୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ରାଜସ୍ୱ ଅଂଶ ଭାବେ ପ୍ରଦାନ କରୁଅଛି । ଏବେ ଏହି କ୍ଷମତାକୁ ବୃଦ୍ଧିି କରାଯିବ ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଓଡିଶାରେ ନିଯୁକ୍ତି କ୍ଷେତ୍ରରେ ଅଗ୍ନିବୀରଙ୍କ ପାଇଁ ରହିବ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା । ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବେ ରାଜ୍ୟ ସରକାର  । ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ଆନୁଭୂମିକ ସଂରକ୍ଷଣ ((Horizontal Reservation)ର ବ୍ୟବସ୍ଥା ରହିବ। ଏହାର ଅର୍ଥ, ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ ସଂରକ୍ଷଣ ରହିବ । ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ  । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।

ଏହାସହ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ର ସଂଶୋଧନ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ସନ୍ତାନଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା ନଥିଲା  । ବର୍ତ୍ତମାନ ସେମାନଙ୍କ ସନ୍ତାନଙ୍କୁ ମିଳିବ ପୁନାର୍ବାସ ଆଧାରରେ ନିଯୁକ୍ତି ।