କନକ ବ୍ୟୁରୋ: ଭାରତରେ ଖୁବଶୀଘ୍ର ବଦଳିପାରେ ପେଟ୍ରୋଲ ଆଉ ଡିଜେଲ ବିକ୍ରି ନିୟମ । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ବର୍ତ୍ତମାନ ଥିବା ଲାଇସେନ୍ସିଂ ନିୟମରେ କିଛି ପରିବର୍ତ୍ତନ କରିବା ନେଇ ବିଚାର କରୁଛି । ତେବେ ସରକାରଙ୍କ ବିଚାର ମୁତାବକ, ବଦଳୁଥିବା ପରିସ୍ଥିତି ଏବଂ ବିକଳ୍ପ ଶକ୍ତିର ମହତ୍ତ୍ୱକୁ ଦେଖି ପୁରୁଣା ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ ଜରୁରୀ ଅଟେ । ଏଥିପାଇଁ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟି ୨୦୧୯ ମସିହାରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ସମୀକ୍ଷା କରିବ ।
କମିଟିରେ କାହାକୁ ସାମିଲ କରାଯାଇଛି?
ଏହି କମିଟିରର ଅଧ୍ୟକ୍ଷତାର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (BPCL)ର ପୂର୍ବତନ ନିର୍ଦ୍ଦେଶକ (ମାର୍କେଟିଂ) ସୁଖମଲ ଜୈନ କରିବେ । ତାଙ୍କ ସହ ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ସେଲର ମହାନିର୍ଦ୍ଦେଶକ ପି. ମନୋଜ କୁମାର, ଭାରତୀୟ ପେଟ୍ରୋଲିୟମ ଶିଳ୍ପ ମହାସଂଘ (FIPI)ର ସଦସ୍ୟ ପି.ଏସ. ରବି ଏବଂ ମନ୍ତ୍ରଣାଳୟର ନିର୍ଦ୍ଦେଶକ (ମାର୍କେଟିଂ) ଅରୁଣ କୁମାର ଏହି କମିଟିରେ ଅଛନ୍ତି । ଏହି କମିଟିର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ସମୟରେ ଥିବା ନିୟମରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେବା । ଏହାସହ ବିକଳ୍ପ ଇନ୍ଧନ ଏବଂ ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକୀୟ ପରାମର୍ଶ ଦେବା ଏବଂ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାରେ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ।
ପୁରୁଣା ଏବଂ ନୂତନ ନିୟମ ମଧ୍ୟରେ କ’ଣ ପାର୍ଥକ୍ୟ ?
୨୦୧୯ ମସିହାରେ, ସରକାର ଅଣ-ପେଟ୍ରୋଲିୟମ କମ୍ପାନିଗୁଡ଼ିକୁ ଖୁଚୁରା ଇନ୍ଧନ ବିକ୍ରୟ କରିବାକୁ ଅନୁମତି ଦେବା ପାଇଁ ନିୟମ ପରିବର୍ତ୍ତନ କରିଥିଲେ । ଯଦି ସେମାନଙ୍କର ସମ୍ପତ୍ତିର ମୂଲ୍ୟ ୨୫୦ କୋଟି ଟଙ୍କା ହୋଇଥାଏ ତେବେ ସେମାନେ ଏପରି କରିପାରିବେ ବୋଲି କୁହାଯାଇଥିଲା । ତେବେ ଯଦି କୌଣସି କମ୍ପାନି ଖୁଚୁରା ଏବଂ ପାଇକାରୀ ଯୋଗାଣ ଉଭୟ କରିବାକୁ ଚାହୁଁଥାଏ, ତେବେ ଏହାର ନେଟ୍ ମୂଲ୍ୟ ଅତି କମରେ ୫୦୦ କୋଟି ଟଙ୍କା ହେବା ଉଚିତ ବୋଲି ସେତେବେଳେ କୁହାଯାଇଥିଲା । ପୂର୍ବରୁ ଇନ୍ଧନ ବିକ୍ରୟ ଲାଇସେନ୍ସ ପାଇଁ କମ୍ପାନିଗୁଡ଼ିକୁ ଶକ୍ତି କ୍ଷେତ୍ରରେ ୨,୦୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିବଦ୍ଧ ହେବାକୁ ପଡୁଥିଲା ।
କାହାର କେତେ ବଜାର ଅଂଶ ଅଛି?
ବର୍ତ୍ତମାନ ଦେଶରେ ୯୭,୮୦୪ଟି ପେଟ୍ରୋଲ ପମ୍ପ ଅଛି । ସରକାରୀ କମ୍ପାନିଗୁଡ଼ିକ ଏ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ବର୍ତ୍ତମାନ ସମୟରେ ଇଣ୍ଡିଆନ୍ ଅଏଲ୍ର ୪୦ ହଜାର ୬୬୬, ବିପିସିଏଲର ୨୩ ହଜାର ୯୫୯ ଏବଂ ଏଚପିସିଏଲର ୨୩ ହଜାର ୯୦୧ ପମ୍ପ ରହିଛି । ଘରୋଇ କ୍ଷେତ୍ରରେ, ରିଲାଏନ୍ସ-ବିପି ମିଳିତ ଉଦ୍ୟୋଗର ୧୯୯୧ ପମ୍ପ, ନାୟାରା ଏନର୍ଜିର ୬,୭୬୩ ପମ୍ପ ଏବଂ ସେଲ୍ ୩୫୫ ପମ୍ପ ରହିଛି । ବର୍ତ୍ତମାନ ଟୋଟାଲ ଏନର୍ଜିଜ୍ (ଆଦାନୀ ସହିତ), ବିପି (ରିଲାଏନ୍ସ ସହିତ), ଟ୍ରାଫିଗୁରାର ପୁମା ଏନର୍ଜି ଏବଂ ସାଉଦି ଆରାମକୋ ଭଳି ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକ ମଧ୍ୟ ଭାରତୀୟ ବଜାରରେ ଅଂଶଧନ ନେବାକୁ ଆଗ୍ରହ ଦେଖାଇଛନ୍ତି । ତେଣୁ ଯଦି ଏହି ନିୟମ କୋହଳ ହୁଏ, ତେବେ ଏହି କମ୍ପାନିଗୁଡ଼ିକର ଭାରତୀୟ ବଜାରରେ ପ୍ରବେଶ ସହଜ ହୋଇଯିବ ।