କନକ ବ୍ୟୁରୋ: ସରକାର ବଦଳିଲା କିନ୍ତୁ ବଦଳିଲାନି ଦୁର୍ଗମ ଅଞ୍ଚଳର ଲୋକଙ୍କ ଭାଗ୍ୟ । ସରିଲା ନାହିଁ ଜଳ ଯନ୍ତ୍ରଣା । ଏବେ ବି ପାଣି ଗରାଏ ପାଇଁ ସଂଘର୍ଷ କରୁଛନ୍ତି ଦୁର୍ଗମ ଅଞ୍ଚଳର ଝିଅ-ବୋହୂ । ଏ ଦୃଶ୍ୟ ହେଉଛି, ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାପୁଚି ଗାଁର । ଗାଁରେ ଦୁଇଟି ନଳକୂପ ଅଛି ହେଲେ ମାଟିଆ ପାଣି ବାହାରୁଥିବାରୁ ପିଇବା ଯୋଗ୍ୟ ନୁହେଁ । ଫଳରେ ଗାଁର ୩୨ ପରିବାରର ୨୦୦ରୁ ଅଧିକ ଲୋକ ନାଳ ପାଣି ଭରସାରେ ରହିଛନ୍ତି । ଗାଁ ଠାରୁ ଦୁଇ କିଲୋମିଟର ବିଲ ରାସ୍ତା ଦେଇ ନାଳରୁ ଗୋଳିଆ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ । ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ବିଡିଓଙ୍କୁ ପାଣି ସମସ୍ୟା ବାବଦରେ ଜଣାଇଲେ ବି କେହି ଶୁଣିବାକୁ ନାରାଜ।
କେନ୍ଦୁଝର ଘଷିପୁରାରେ ବି ଜଳକଷ୍ଟ । ୮ ଦିନ ହେଲା ୩ଟି ଗାଁକୁ ପାଣି ଆସୁନି । ଜଳ ଯୋଗାଣ ବନ୍ଦ ରହିଛି, ଡହଳବିକଳ ଲୋକେ । ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଦରଡ଼ିପାଳ ପଞ୍ଚାୟତର ୩ଟି ଗ୍ରାମର ଲୋକେ । ଅଭିଯୋଗର ୨୪ଘଣ୍ଟା ମଧ୍ୟରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ହେଲେ ଘସିପୁରା ବ୍ଲକ୍ରେ ଏହାକୁ ପାଳନ କରାଯାଉ ନଥିବା ଅଭିଯୋଗ ହୋଇଛି । ଦରଡ଼ିପାଳ ପଞ୍ଚାୟତ ମଙ୍ଗଳପୁର ପାନୀୟ ଜଳ ପ୍ରକଳ୍ପରୁ ବାଲିପାଳ, ମଙ୍ଗଳପୁର, କାଠପାଳ ଗାଁକୁ ଜଳ ଯୋଗାଣ କରାଯାଉଛି । ହେଲେ ୮ଦିନ ହେବ ପାଇପ୍ରେ ପାଣି ଆସୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାଦିନେ ଏଭଳି ଅବସ୍ଥା ଲୋକଙ୍କୁ କାଳ ହେଉଛି ।