କନକ ବ୍ୟୁରୋ: ପାଣି ଦିଅ ନହେଲେ ବିଷ ଦିଅ । ଏମିତି କିଛି ନାରାବାଜି ଦେବା ସହ ପ୍ରତିବାଦ କରୁଛନ୍ତି ଗାଁର ଲୋକ । ସରୁନି ଜଳକଷ୍ଟ ମେଣ୍ଟୁନି ଗ୍ରାମବାସୀଙ୍କ ଶୋଷ ପାଣି ପାଇଁ ହାହାକାର ଭିତରେ ୧୫୦ ପରିବାର । ନୀଳଗିରି ଗରଡିହି ପଞ୍ଚାୟତ ଟିଆକଟାରେ ଥମୁନି ଜଳକଷ୍ଟ । ଗାଁରେ ନିର୍ମାଣ ହୋଇଛି ସୁଉଚ୍ଚ ଟାଙ୍କି । ବିଛା ଯାଇଛି ପାଇପ ହେଲେ କେଉଁଠି ପାଇପ ଓ ଷ୍ଟାଣ୍ଡ ପୋଷ୍ଟ ଥାଇ ଲୋକଙ୍କୁ ପାଣି ମିଳୁ ନାହିଁ । ଅସହ୍ୟ ତାତି ସାଙ୍ଗକୁ ପାଣି ଟିକକ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ବାଧ୍ୟ ହୋଇ ପୋଖରୀର ଦୂଷିତ ଜଳ ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଗାଁରେ ପାଣି ପାଇଁ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନାହିଁ ଯାହାଫଳରେ ଗାଁରେ ଅସନ୍ତୋଷ ବଢିବାରେ ଲାଗିଛି ।
ପାହାଡ଼ ଚଢି ଗାଁର ଛୋଟରୁ ବଡ ଚୁଆରୁ ପାଣି ପାଇଁ ଯାଇଥାଆନ୍ତି । ଗୋଟିଏ ଘାଟରେ ଉଭୟ ମଣିଷ ଓ ଜୀବ ପାଣି ପିଉଛନ୍ତି । ଖରା ଦିନେ ଆସିଲେ ପାଣି ଶୁଖିବା କାରଣରୁ ଲୋକେ ଗୋଳିଆ ପାଣିକୁ ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ପିଉଛନ୍ତି । ସେପଟେ ମହିଳାମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ଖୁବଶୀଘ୍ର ସମାଧାନ ଦାବି କରିଛନ୍ତି । ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଖୁବଶୀଘ୍ର ପିଇବାପାଣି ସୁବିଧା କରିବା ଜରୁରୀ ହୋଇଛି।