କନକ ବ୍ୟୁରୋ: ବୁର୍ଲା ଭିମ୍ସାର୍ ଓ ସମ୍ବଲପୁର ବ୍ଲଡ୍ ବ୍ୟାଙ୍କରେ ଗୁରୁତର ରକ୍ତ ସଂକଟ । ରକ୍ତ ଦରକାର କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସବୁଆଡ଼େ ଚେଷ୍ଟା କରି ହତାଶ ହେଉଛନ୍ତି । ଏପରିକି ଏକ୍ସଚେଞ୍ଜ୍ କରି ରକ୍ତ ନେବାକୁ ଚାହିଲେ ବି ହୋଇପାରୁନାହିଁ । ରକ୍ତଦାନ ଶିବିର ଆୟୋଜନ ହେଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ଆଜିର ଦିନରେ ବୁର୍ଲା ଭିମସାର ରକ୍ତଭଣ୍ଡାରରେ ଅଛି ମାତ୍ର ୩୫ ୟୁନିଟ୍ ରକ୍ତ । ରକ୍ତଦାନ ଶିବିର ଆୟୋଜନ ହେଉ ନଥିବାରୁ ରକ୍ତ ଅଭାବ ଦେଖାଦେଇଛି । ରକ୍ତଦାନ ଶିବିରରୁ ସଂଗୃହୀତ ରକ୍ତର ୪୦ ପ୍ରତିଶତ ଥାଲାସେମିଆ ରୋଗୀଙ୍କୁ ଦିଆଯାଏ । ଜଣେ ଥାଲାସେମିଆ ରୋଗୀଙ୍କୁ ଏକାଥରକେ ୩- ୪ ୟୁନିଟ୍ ହିସାବରେ ଏଠାରେ ଦିନକୁ ପ୍ରାୟ ୧୩୦ ୟୁନିଟ ରକ୍ତ ଦରକାର । ରକ୍ତ ଅଭାବରୁ ଥାଲାସେମିଆ ସମେତ ସବୁ ପ୍ରକାର ରୋଗୀ ହଇରାଣ ହେଉଛନ୍ତି ।
- ସମ୍ୱଲପୁରରେ ବି ସମାନ ଅବସ୍ଥା
- ରୋଗୀ ଓ ସମ୍ପର୍କୀୟଙ୍କୁ ଘାରିଛି ଚିନ୍ତା
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ମାତ୍ର ୩ ୟୁନିଟ୍ ରକ୍ତ ଅଛି । ଯାହା କେବଳ ଅଛି ଓ-ପଜିଟିଭ୍ ରକ୍ତ । ଅନ୍ୟ ଗ୍ରୁପର ରକ୍ତ ନାହିଁ । ଏକ୍ସଚେଞ୍ଜ୍ କରି ରକ୍ତ ନେବାକୁ ଚାହିଲେ ବି ତାହା ସମ୍ଭବ ହେଉନାହିଁ । ରକ୍ତଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରି ଶିବିର ଆୟୋଜନର ଆବଶ୍ୟକତା ରହିଛି । ରକ୍ତଦାନ ପାଇଁ ଜନ ସଚେତନତା ଜରୁରି । ରକ୍ତ ଅଭାବ ପୂରଣ ପାଇଁ ରକ୍ତଦାନ ଲାଗି ସୁସ୍ଥ ଲୋକଙ୍କୁ ରକ୍ତଭଣ୍ଡାର ପକ୍ଷରୁ ଅନୁରୋଧ କରାଯାଇଛି । ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରି ରକ୍ତଦାନ ଶିବିର ଆୟୋଜନ କରିବା କାହା ଦାୟିତ୍ବ ? କିଏ ଅବହେଳା କରୁଛନ୍ତି ? ରକ୍ତ ଅଭାବରୁ କେତେବେଳେ କାହାର ଜୀବନ ଗଲେ କାହାକୁ ଦାୟୀ କରାଯିବ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିବାରେ ଲାଗିଛି ।