କନକ ବ୍ୟୁରୋ : ଆଗକୁ ପୂଜା ବଜାର। ଆଉ ଏହାକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ କିଛି ନୂଆ ସିନେମା ଭେଟି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ପ୍ରଯୋଜକ ଟୁଟୁ ନାୟକ। ୨୦ ବର୍ଷ ପରେ ବହୁ ପ୍ରତୀକ୍ଷିତ ‘ଆଇ ଲଭ ୟୁ’ର ସିକ୍ବେଲ ଭାବେ ‘ଆଇ ଲଭ ୟୁ-ଟୁ’ ରିଲିଜ୍ କରିଛନ୍ତି। ହେଲେ ରିଲିଜ୍ ପୂର୍ବରୁ ଦେଖା ଦେଇଛି ବଡ଼ ବିବାଦ। ଭିଡିଓ ଜାରି କରି ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ଦୁଇ ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ଓ ମନୋଜ ମିଶ୍ର। ଶୁଣି ନିଅନ୍ତୁ, କ’ଣ କହୁଛନ୍ତି ଅନୁଭବ ଓ ମନୋଜ।

Advertisment

ଅନୁଭବ, ବାବୁସାନ ଓ ଅରିନ୍ଦମଙ୍କ ଭଳି ଷ୍ଟାରଙ୍କୁ ବ୍ରେକ ଦେଇଥିବା ନେଇ ବାରମ୍ବାର କହିଆସୁଛନ୍ତି ଟୁଟୁ ନାୟକ। ଯାହାକୁ ନେଇ ମୁହଁ ଖୋଲିଛନ୍ତି ଅନୁଭବ ଓ ମନୋଜ। ଟୁଟୁଙ୍କୁ କଟାକ୍ଷ କରି ମନୋଜ କହିଛନ୍ତି ଯେ, ଆପଣ ଓଡ଼ିଆ ସିନେମାର ବ୍ରହ୍ମା ନୁହଁନ୍ତି। ସବୁ ଷ୍ଟାରଙ୍କ ଭିତରେ ନିଜସ୍ବ କ୍ବାଲିଟି ରହିଛି। ଅନୁଭବ ମଧ୍ୟ ବୟାନବାଜିରୁ ଦୂରେଇ ରହିବା ସହ ଷ୍ଟାରଙ୍କ ଭିତରେ ଅଯଥା କଳି ନଲଗାଇବାକୁ ପରାମର୍ଶ ଦେଇଛନ୍ତି। ସେପଟେ ଏହାର ଜବାବ ରଖିଛନ୍ତି ଟୁଟୁ ନାୟକ।

 ଦିନେ ଯେଉଁ ଓଡ଼ିଆ ସିନେମା ପାଇଁ ହଲରେ ଲାଗୁଥିଲା ଲମ୍ବା ଲାଇନ। ଏପରିକି ପୂଜା ବଜାରରେ ସିଟ୍ ନମିଳିବାରୁ ବ୍ଲାକରେ ବିକ୍ରି ହେଉଥିଲା ଓଡ଼ିଆ ସିନେମାର ଟିକେଟ। ଆଜି କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଓଲିଉଡ୍ ଫିଲ୍ମରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ। କାଁ ଭାଁ ଫିଲ୍ମକୁ ଛାଡ଼ି ଦେଲେ, ସେଭଳି ଆଖିଦୃଶିଆ ସିନେମା ପରଦାକୁ ଆସୁନାହିଁ। ତା’ ସାଙ୍ଗକୁ ପୂର୍ବ ତୁଳନାରେ ଫିଲ୍ମକୁ ଆଉ ହଲ୍ ବି ମିଳୁନାହିଁ। ଏପରି ସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଡ଼ିଆ ସିନେମା କିପରି ଉପରକୁ ଉଠିବ, ସେ ଚିନ୍ତା କରିବା ବଦଳରେ ପରସ୍ପର ମଧ୍ୟରେ କଳି ଓଡ଼ିଆ ସିନେମାକୁ ଅନ୍ଧକାରକୁ ଠେଲି ଦେଇଛି।