କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି। ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପ୍ରସ୍ତୁତିକୁ ନେଇ ଦୁଇ ଦିନ ଧରି ବୈଠକ କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ସବୁ ରାଜନୈତିକ ଦଳ ରାଜଧାନୀ ହାତେଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ କେଉଁ ଦଳର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । 

Advertisment

ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଅରବିନ୍ଦ କେଜରିୱାଲ ରହିଥିବା ବେଳେ ବିଜେପି ଏବଂ କଂଗ୍ରେସର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତା’ ଉପରେ ନଜର ରହିଥିଲା । ହେଲେ ବିଜେପି ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ବୋଲି ସ୍ପଷ୍ଟ କରିଛି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢ଼ିବ ବୋଲି ଜାବ୍‌ଡେକର ସ୍ପଷ୍ଟ କରିଛନ୍ତି ।

ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେପି ଯେମିତି ନିର୍ବାଚନ ଲଢ଼ିଥିଲା ଠିକ୍‌ ସେମିତି ଦିଲ୍ଲୀରେ ଲଢ଼ିବ ବୋଲି ରଣନୀତି ତିଆରି କରିଛି ଦଳ। ୨୦୧୫ ବିଧାନସଭା ନିର୍ବାଚନ ବେଳେ ବିଜେପି କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରିଥିଲା । ହେଲେ କିରଣ ବେଦୀ ନିଜେ ନିର୍ବାଚନ ହାରି ଯାଇଥିଲେ । ଏହାସହ ବିଜେପି ମଧ୍ୟ ଦିଲ୍ଲୀର ମୋଟ ୭୦ ଆସନରୁ ମାତ୍ର ୩ଟି ଆସନ କବ୍‌ଜା କରିଥିଲା। ଏଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । 

ବିଜେପିର କ’ଣ ରଣନୀତି?

- ୧୯୯୮ ମସିହାରୁ ଦିଲ୍ଲୀରେ ସରକାର ଗଢିପାରିନି ବିଜେପି
- ୧୯୯୮ ନିର୍ବାଚନର କିଛି ଦିନ ପୂର୍ବରୁ ସୁଷମା ସ୍ବରାଜ ହୋଇଥିଲେ ମୁଖ୍ୟମନ୍ତ୍ରୀ
- ସେହି ବର୍ଷ ନିର୍ବାଚନରେ ସୁଷମାଙ୍କ ବିପକ୍ଷରେ ଥିଲେ କଂଗ୍ରେସର ଶୀଲା ଦୀକ୍ଷିତ 
- ନିର୍ବାଚନରେ ବିଜୟୀ ହୋଇ ସରକାର ଗଢିଥିଲା କଂଗ୍ରେସ
- ୨୦୧୪ରୁ ଏନ୍‌ଡିଏକୁ ବି ଦେଶର ରାଜଧାନୀରେ ମିଳିନି ସଫଳତା 
- ପୂର୍ବରୁ ଦିଲ୍ଲୀରେ କାମ କରିନାହିଁ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା
- ୨୦୧୩, ୨୦୧୫ ଓ ୨୦୨୦ ନିର୍ବାଚନରେ ହାରିଯାଇଥିଲା ଦଳ
- ୨୦୧୫ ନିର୍ବାଚନରେ କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିଲା ବିଜେପି
- ୨୦୨୦ରେ ବି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିଥିଲା ଦଳ
- ଏଥର ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ବିଜେପିର ନୂଆ ରଣନୀତି
- କେଜ୍ରିୱାଲଙ୍କୁ ଟକ୍କର ଦେବା ଭଳି ଦିଲ୍ଲୀରେ ବିଜେପିର ନାହାନ୍ତି କି କୌଣସି ନେତା?
- ମୋଦୀଙ୍କୁ ପ୍ରୋଜେକ୍ଟ କରି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।