କନକ ବ୍ୟୁରୋ : ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ମହିଳାଙ୍କ ସଶକ୍ତୀକରଣ କରିବାକୁ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ କେନ୍ଦ୍ରକୁ ପ୍ରତି ଫର୍ମର ଉପଲୋଡ଼ିଂ ପାଇଁ ୧୫ ଟଙ୍କା ଦିଆଯାଉଛି । କିନ୍ତୁ କେତେକ ସ୍ଥାନରେ ଅଙ୍ଗନବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଟଙ୍କା ମାଗୁଥିବା ଜଣାପଡିଛି । ସୁଭଦ୍ରା ଫର୍ମ ପାଇଁ ଓ ଅନଲାଇନରେ ଫର୍ମ ଅପଲୋଡ ପାଇଁ  ୫୦ ରୁ ୨୦୦ ଟଙ୍କା ମାଗୁଥିବା ଅଭିଯୋଗ ହେଉଛି । ଏଭଳି ହେଉଥିଲେ ତୁରନ୍ତ ଅଭିଯୋଗ କରିବା ପାଇଁ ସମସ୍ତଙ୍କୁ ଅପିଲ କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ବାଲେଶ୍ବର ଜିଲ୍ଲାରେ ଜଣେ ଅଙ୍ଗନୱାଡି କର୍ମୀ ଫର୍ମ ବଣ୍ଟନରେ ଅବହେଳା ଅଭିଯୋଗ ଆସିବା ପରେ ମାସକର ଦରମା ବନ୍ଦ କରାଯାଇଛି ।  ଫର୍ମ ପଞ୍ଜିକରଣ ପାଇଁ ଟଙ୍କା ଦାବି କରିଥିବା କେନ୍ଦ୍ରାପଡ଼ା ଡେରାବିଶର ଜନସେବା କେନ୍ଦ୍ର ବିରୋଧରେ ଅଭିଯୋଗ ଆସିବା ପରେ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ଏହାଛଡା ହେଲ୍ପ ଲାଇନକୁ ଆସିଥିବା ଏକ କଲକୁ ଆଧାର କରି କଟକ ଆଠଗଡ଼ର ମୋ ସେବା କେନ୍ଦ୍ର ନାଁରେ ଏତଲା ଦେଇଛି ସିଏମସି । ଆଗକୁ ମଧ୍ୟ ସୁଭଦ୍ରା ଫର୍ମ ପାଇଁ କିମ୍ୱା ଆବେଦନ ପାଇଁ ଟଙ୍କା ମାଗିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ କହିଛି ।