କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଜନ ଶୁଣାଣି ଉପରେ ଅଧିକ ଫୋକସ କରିଛନ୍ତି ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନିଜେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ବର୍ତ୍ତମାନ ସୁଦ୍ଧା ଆଠ ଥର ଅଭିଯୋଗ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ, ନିର୍ଦ୍ଦେଶ ସତ୍ବେ ବି ଲୋକଙ୍କ ସମସ୍ୟାର ସମାଧନ ତ୍ୱରିତ ବେଗରେ ହେଉନବା ଅନୁଭବ କରିବା ପରେ ଆକ୍ସନ ମୋଡକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।
ଲୋକଙ୍କ ଅଭିଯୋଗ ଶୁଣିବା ପରେ ସମସ୍ୟାର ତ୍ବରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଛନ୍ତି। ହେଲେ, ଲୋକଙ୍କ ସମସ୍ୟାରେ ତ୍ବରିତ ସମାଧାନ ହେଉନାହିଁ। ତେବେ କେଉଁଠି ଅସୁବିଧା ରହିଛି? କିଏ ବାଧକ ସାଜୁଛନ୍ତି? ତାକୁ ନେଇ ଆକ୍ସନ ମୋଡକୁ ଆସିଛି ସିଏମଓ । ନିର୍ଦ୍ଦେଶ ମାନୁନଥିବା ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମୁଖ୍ୟ, ପୋଲିସ ଡିଜି ଓ କମିଶନର, ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିକୁଂଜ ଧଳ। ଏବେ ନଜର ପକାନ୍ତୁ ସେହି ଲେଟର ଉପରେ । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେଉଁମାନେ ନିର୍ଦ୍ଦେଶ ଅନୁସାରେ ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ନକରିବେ ସେମାନଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହେବ।
ସିଏମଓର ତାଗିଦ
ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ
ଅବହେଳା କଲେ ଓଡ଼ିଶା ବେସାମରିକ ସେବା ନିୟମ ୧୯୬୨ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ
ଜିଲ୍ଲା ସ୍ତରରେ ଜନ ଶୁଣାଣୀ ଠିକ ଭାବରେ ହେଉନି ବୋଲି ଶେଷ ଭରସାରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଛନ୍ତି ସାଧରଣ ଲୋକେ । ହେଲେ ସରକାରୀ ଦପ୍ତର ଓ ଅଫିସରଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେବା ପରେ ବି ସମସ୍ୟାର ସମାଧାନ ହେଉନି। ଯାହାଫଳରେ ବାରମ୍ବାର ଅଭିଯୋଗ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି ଲୋକେ।