କନକ ବ୍ୟୁରୋ: ଭିସା ବାତିଲ ପରେ ଶତାଧିକ ପାକିସ୍ତାନୀ ଭାରତ ଛାଡି ପାକିସ୍ତାନ ଯାଇଛନ୍ତି । କିନ୍ତୁ ଦୀର୍ଘ ବର୍ଷ ହେବ ଭାରତରେ ରହି ଆସୁଥିବା ଆଉ କିଛି ପାକିସ୍ତାନୀ ଦେଶ ଛାଡିବାକୁ ସିଧାସଳଖ ମନା କରିଛନ୍ତି । ଅନ୍ୟପଟେ ଦୀର୍ଘ ମିଆଦି ଭିସାରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ପ୍ରସଙ୍ଗରେ ବିଚାର କରାଯାଉଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ।

Advertisment

ତେବେ ଶତାଧିକ ପାକିସ୍ତାନୀ ନାଗରିକ ଭାରତ ଛାଡି ଅଟାରୀ ବର୍ଡ ଦେଇ ନିଜ ଦେଶକୁ ଫେରିଛନ୍ତି । ଆହୁରି ଅନେକ ଫେରିବା ଅପେକ୍ଷାରେ ଅଛନ୍ତି । ଓଡ଼ିଶାରେ ରହୁଥିବା ଜଣେ ପାକିସ୍ତାନୀ ନାଗରିକ ମଧ୍ୟ ଫେରି ଯାଇଛନ୍ତି । ହେଲେ ସାରଦା କୁକ୍ରେଜା ଏବଂ ରଜିୟା ସୁଲତାନାଙ୍କ ସମେତ ଆଉ କିଛି ପାକିସ୍ତାନୀ ନାଗରିକ ବର୍ଷ ବର୍ଷ ହେଲା ଓଡ଼ିଶାରେ ରହି ଆସୁଛନ୍ତି । ସେମାନେ ଏଠି ବିବାହ କରିବା ପରେ ଦୀର୍ଘମିଆଦି ଭିସାରେ ରହି ଆସୁଛନ୍ତି । ଏବେ ଭାରତ ସରକାର ଭିସା ବାତିଲ କରିବା ପରେ ମଧ୍ୟ ସେମାନେ ଦେଶ ଛାଡି ଯିବାକୁ ନାରାଜ । ସରକାର ଦେଇଥିବା ଡେଡଲାଇନ ସରି ଯାଇଥିଲେ ମଧ୍ୟ ଓଡ଼ିଶା ଛାଡି ଯିବାକୁ ଚାହୁଁନାହାନ୍ତି ପାକ୍ ନାଗରିକ ।

ଏ ସମ୍ପର୍କରେ ପୋଲିସ ଡିଜି କହିଛନ୍ତି, ଓଡ଼ିଶାରେ ଥିବା ୧୨ ପାକିସ୍ତାନ ନାଗରିକଙ୍କ ମଧ୍ୟରୁ ଜଣେ ଛାଡ଼ିଛନ୍ତି ଭାରତ । ଦୀର୍ଘକାଳିନ ଭିସାରେ ରହୁଥିବା ପାକ୍ ନାଗରିକଙ୍କ ବିଷୟରେ ବିଚାର କରାଯାଉଛି । ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । 

  • ପଞ୍ଚାୟତ ସ୍ତରରେ ଚାଲିଛି ଚିହ୍ନଟ 
  • ବିନା ଭିସାରେ ରହୁଥିଲେ କାର୍ଯ୍ୟାନୁଷ୍ଠାନ 

ପାକିସ୍ତାନୀ ନାଗରିକଙ୍କୁ ତଡ଼ିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ବିନା ଭିସାରେ ରାଜ୍ୟରେ ରହୁଥିବା ପାକିସ୍ତାନୀ, ବାଂଲାଦେଶୀ, ମିଆଁମାର ନାଗରିକଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କ ଆଧାର କାର୍ଡ, ଭୋଟର କାର୍ଡ ଯାଞ୍ଚ କରାଯାଉଛି । ଖୁବଶୀଘ୍ର ସେମାନଙ୍କ ତାଲିକା ପ୍ରସ୍ତୁତ କରି ଗୃହ ବିଭାଗକୁ ପଠାଯିବା ସହ ସେମାନଙ୍କୁ ତଡ଼ାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେହିପରି ଓଡ଼ିଶାରେ ପାକିସ୍ଥାନୀ, ବାଂଲାଦେଶୀ ଏବଂ ମିଆଁମାର ଲୋକଙ୍କୁ ଚିହ୍ନଟ କରି ସେମାନେ ବେଆଇନ ଭାବେ ହାତେଇଥିବା ରାସନ କାର୍ଡ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । 

ସୂଚନାଯୋଗ୍ୟ ଯେ, ପହଲଗାମ୍ ଆକ୍ରମଣ ପରେ ପାକ୍ ନାଗରିକଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ଭାରତ ସରକାର । ସେମାନଙ୍କ ଭିସା ବାତିଲ କରିବା ସହ ତୁରନ୍ତ ଦେଶ ଛାଡିବା ପାଇଁ ମହଲତ ଦେଇଛନ୍ତି ।