Puri ACF Photograph: (Kanak News)
କନକ ବ୍ୟୁରୋ : ପୁରୀ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏସିଏଫ୍ଙ୍କ ବିରୋଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଳାଚକଟା ଘଟଣା ଦିନ ଏସିଏଫ୍ ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିଲେ । ଶରଧାବାଲିରେ ଦଳାଚକଟା ଘଟଣାରେ ୭ ପୁଲିସ ଅଧିକାରୀ ନୁହେଁ, ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦୋଷୀ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟରେ ସମସ୍ତ ଦୋଷୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି ।
ଜଣେ ସହକାରୀ ଜିଲ୍ଲାପାଳ, ୨ ଅତିରିକ୍ତ ତହସିଲଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଛି । ବନ ବିଭାଗର ପୁରୀ ଏସିଏଫ୍ ଅଶୋକ କୁମାର ବେହେରାଙ୍କ ସମେତ ପୁରୀ ଡିଏସ୍ଏସଓ ବିଭୂତି ଭୂଷଣ ନାୟକ, ମୟୁରଭଞ୍ଜ ଶୁକୃଳି ଅତିରିକ୍ତ ତହସିଲଦାର ରାଜକିଶୋର ଜେନା, ଢେଙ୍କାନାଳ ଗଁନ୍ଦିଆ ଅତିରିକ୍ତ ତହସିଲଦାର ସୌଭାଗ୍ୟ କୁମାର ମହାନ୍ତି ଓ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଦୟାନିଧି ପାତ୍ର କଣ୍ଟ୍ରୋଲ ରୁମ୍ ଦାୟିତ୍ଵ ତୁଲାଉଥିଲେ ।
ଅଘଟଣ ରାତିରେ ଏହି କଣ୍ଟ୍ରୋଲ ରୁମ୍ କିମ୍ବା ରଥ ନିକଟରେ ଉପରୋକ୍ତ ଅଧିକାରୀମାନେ ଉପସ୍ଥିତ ନଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ସେମାନଙ୍କ ତ୍ରୁଟି ଯୋଗୁ ଜୁନ୍ ୨୯ରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ହୋଇଥିଲା । ଏଥିରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଅନେକ ଭକ୍ତ ଆହତ ହୋଇଥିଲେ । ସମସ୍ତ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି ।
ସେମାନଙ୍କ ବିରୋଧରେ ଓଡ଼ିଶା ସିଭିଲ ସର୍ଭିସ୍ (କ୍ଲାସିଫିକେସନ, କଣ୍ଟ୍ରୋଲ ଓ ଅପିଲ୍) ରୁଲ୍ ୧୯୬୨ ମୁତାବକ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବାକୁ ରିପୋର୍ଟରେ ରହିଛି । ଏହା ବିରୋଧରେ କୌଣସି ଆପତ୍ତି ଥିଲେ, ସେମାନେ ଚିଠି ପାଇବାର ୩୦ ଦିନ ଭିତରେ ନିଜ ପକ୍ଷ ରଖିପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ସରକାର ଙ୍କ ଏହି ରିପୋର୍ଟ କୁ ସମସ୍ତେ ସ୍ୱାଗତ କରିଛନ୍ତି ।
Follow Us