Photograph: (kanaknews)
କନକବ୍ୟୁରୋ : ସୁପ୍ରିମକୋର୍ଟ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ପୁନର୍ବାସକୁ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କୁ ସରକାରୀ ଚାକିରି ଦେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସ୍ପଷ୍ଟ ନୀତି ପ୍ରସ୍ତୁତ କରନ୍ତୁ। ଯଦି କୌଣସି କାରଣବଶତଃ ସରକାରୀ ଚାକିରି ଦେବା ସମ୍ଭବ ନୁହେଁ, ତାହାହେଲେ ସେମାନଙ୍କୁ ଭରଣପୋଷଣ ଭତ୍ତା ଦେବାକୁ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ପୀଠ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଚାରିଥିଲେ, ସରକାରୀ ବିଭାଗରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ପୁନର୍ବାସ ପାଇଁ ଏପର୍ଯ୍ୟନ୍ତ କ’ଣ ପାଇଁ କୌଣସି ଠୋସ୍ ଯୋଜନା କରାଯାଇ ନାହିଁ। ସରକାରଙ୍କୁ ଏହି ମାମଲାରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି ।
ସାଇବର ଅପରାଧରେ ଲଗାମ ପାଇଁ ଚାଲିଛି ଅପରେସନ୍ ସାଇବର କବଚ : ଗିରଫ ହୋଛଇନ୍ତି ୩୩୧ ଅଭିଯୁକ୍ତ
ଶୁଣାଣି ବେଳେ କୋର୍ଟ କହିଥିଲେ, ଯଦି କୌଣସି ରାଜ୍ୟରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ସରକାରୀ ଚାକିରି ଦେବାରେ ସମସ୍ୟା ଆସୁଛି, ତେବେ ସେମାନଙ୍କୁ ଜୀବନ ନିର୍ବାହ ପାଇଁ ଭତ୍ତା ଦେବାକୁ ନୀତି କରାଯାଇପାରେ, ଯାହା ଦ୍ବାରା ପୀଡ଼ିତାଙ୍କୁ ଆର୍ଥିକ ସାହାଯ୍ୟ ମିଳିପାରିବ। ଶୁଣାଣିବେଳେ ପୀଡ଼ିତା ଶାହିନ୍ ମଲିକ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରାଙ୍କ ମାଧ୍ୟମରେ ସେ ତାଙ୍କ ପକ୍ଷ ରଖିବାକୁ ଚାହୁଛନ୍ତି। କୋର୍ଟ ଲୁଥ୍ରାଙ୍କୁ ଏହି ମାମଲାରେ ନିଃଶୁଳ୍କ ମାମଲା ଲଢ଼ିବାକୁ କହିଥିଲେ ଓ ସେ ଏଥିରେ ରାଜି ମଧ୍ୟ ହୋଇଥିଲେ।
ପୀଡ଼ିତା ଏହି ମାମଲାରେ ସମୟସୀମା ଭିତରେ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। କୋର୍ଟଙ୍କୁ କୁହାଯାଇଥିଲା ଯେ ଏସିଡ୍ ଆକ୍ରମଣ ପୀଡ଼ିତା ବ୍ୟାଙ୍କ ଖାତା ଖୋଲିବା, ଆଧାରକାର୍ଡ ପ୍ରସ୍ତୁତ କରିବା, ସମ୍ପତ୍ତି ରେଜିଷ୍ଟ୍ରି କିମ୍ବା ସିମକାର୍ଡ ନେବା ସମୟରେ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ କେୱାଇସି ପ୍ରକ୍ରିୟାରେ କିମ୍ବା ବାୟୋମେଟ୍ରିକ୍ ପ୍ରକ୍ରିୟାରେ ସେମାନଙ୍କୁ ଅସୁବିଧା ହେଉଛି। ପୀଡ଼ିତା କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ କେନ୍ଦ୍ର ସରକାରଙ୍କୁ ଡିଜିଟାଲ କେୱାଇସିର ବିକଳ୍ପ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ସରକାରଙ୍କଠାରୁ ଜବାବ ଆସିବା ପରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଥିଲେ।
Follow Us