କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ପଡ଼ୋଶୀ ମାଆ ଓ ପୁଅଙ୍କ ଉପରକୁ ଏସିଡ୍ ମାଡ଼ କରିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଛରା ଗ୍ରାମରେ ଏହି ବିଭତ୍ସ କାଣ୍ଡ ଘଟିଛି । ବାଛରା ଗ୍ରାମର ରବୀନ୍ଦ୍ର ସାହୁ ଓ ତାଙ୍କ ପଡ଼ୋଶୀ ବିଜୟ ସାହୁଙ୍କ ମଧ୍ୟରେ ଘର ନିର୍ମାଣକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ଗତକାଲି ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ବଚସା ହୋଇଥିଲା । ଏଥିରେ ବିଜୟ ସାହୁ ଉତକ୍ଷିପ୍ତ ହୋଇ ହଠାତ୍ ରବୀନ୍ଦ୍ରଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ । ରବୀନ୍ଦ୍ରଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ମାଆ ମଧ୍ୟ ଏହି ଏସିଡ୍ ମାଡ଼ର ଶିକାର ହୋଇଥିଲେ । କେବଳ ସେତିକି ନୁହେଁ, ଅଭିଯୁକ୍ତ ବିଜୟ ଏକ ଖଣ୍ଡା ଧରି ସେମାନଙ୍କୁ ଗୋଡ଼ାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Advertisment

ଏସିଡ୍ ମାଡ଼ରେ ମାଆ ଓ ପୁଅ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ଅଧିକ ପଢ଼ନ୍ତୁ---କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା : ଅର୍ପିତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ଅନ୍ୟପଟେ, ଘଟଣାର ଖବର ପାଇ ପଟ୍ଟାମୁଣ୍ଡାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ବିଜୟ ସାହୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ସାମାନ୍ୟ ଘର ନିର୍ମାଣ ବିବାଦକୁ ନେଇ ଏଭଳି ଏକ ସାଂଘାତିକ କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରୁଛି ।