କନକ ବ୍ୟୁରୋ: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଇୱାନ୍ର ଚାଓୟାଙ୍ଗ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ସିୱାଇୟୁଟି)ରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଶନିବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଆନୁଷ୍ଠାନିକ ଭାବରେ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ହେଉଛି ଅଚ୍ୟୁତଙ୍କ ୬୮ ତମ ସମ୍ମାନସୂଚକ ଡକ୍ଟରେଟ୍ ।
ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିପାଇଁ ସିୱାଇୟୁଟିର ଶିକ୍ଷା ପରିଷଦ ଏବଂ ପରିଚାଳନା ବୋର୍ଡ ଅଚ୍ୟୁତ ସାମନ୍ତଙ୍କ ନାମ ସୁପାରିଶ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସମାବର୍ତ୍ତନ ସମାରୋହ ଅବସରରେ ଅଚ୍ୟୁତ ସାମନ୍ତ ଚାଓୟାଙ୍ଗ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅତିଥିଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମ୍ମାନ ଗ୍ରହଣ କରି ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ କହିଥିଲେ, ‘ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଛନ୍ତି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ସାମନ୍ତ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସଭାପତି ତାଓ-ମିଙ୍ଗ୍ ଚେଂଙ୍କ ସମେତ ବହୁ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତି, ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।