କନକ ବ୍ୟୁରୋ : ଭୁବନେଶ୍ବର କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ବିବାଦ ଥମୁନାହିଁ । ବିଧାନସଭାରେ ହଙ୍ଗାମା ଭିତରେ କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। କାଲି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ସବୁ ଦଳ ଆଜି ପୁଣି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ବିଧାନସଭାରେ ବିଜେଡି ଏହି ପ୍ରସଙ୍ଗ ଉଠାଇଛି । କଂଗ୍ରେସ ବିଧାୟକ ତାରା ବାହିନୀପତି କିଟ ମାଲିକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ବଜେଟ ଆଲୋଚନାବେଳେ ବିଜେଡି ବିଧାୟକ କଳିକେଶ ସିଂହଦେଓ କହିଛନ୍ତି, କିଏ ସେ କାହିଁକି ଆକ୍ସନ ନେଲେ ନାହିଁ ବୋଲି ପଚାରିଛନ୍ତି। ସେପଟେ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, କିଟ୍ କର୍ତ୍ତୃପକ୍ଷଙ୍କ ମନମାନି ଆଦୌ ଗ୍ରହଣୀୟ ନୁହେଁ । ଆଇନମନ୍ତ୍ରୀ କହିଛନ୍ତି, ଯାଂଚ ଚାଲିଛି । କାହାକୁ ଛଡାଯିବ ନାହିଁ । ଯେତେ ବଡ ଲୋକ ହୋଇଥିବେ ବି ଆକ୍ସନ ହେବ ।
କିଟ୍ ଘଟଣା ନେଇ ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏଆଇଡିଏସଓ। ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରି ବିତାଡିତ କରିଥିବା କର୍ତ୍ତୃପକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଗଠନ। ଏବିଭିପିର ଏକ ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିରେ ନେପାଳର କିଛି ଛାତ୍ର ବି ସାମିଲ ହୋଇଥିଲେ ।
କିଟ୍ ପାଇଁ ସରକାର ଗଠନ କରିଥିବା ହେଲ୍ପ ଡେସ୍କ କାମ କରିବା ଆରମ୍ଭ କରିଛି। ଛାତ୍ରଛାତ୍ରୀଙ୍କ ପାଇଁ ହ୍ବାଟସପ ନମ୍ବର ବି ଜାରି ହୋଇଛି । କଲେଜ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସୁବିଧା ପାଇଁ ଏହି ନମ୍ବର ଜାରି କରାଯାଇଛି। ଶୀଘ୍ର ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଡେସ୍କ ସହ ଯୋଗାଯୋଗ କରିପାରିବେ।