Photograph: (KanakNews )
କନକବ୍ୟୁରୋ : ସ୍ଥାବର ସମ୍ପତ୍ତି କାରବାରରେ ସ୍ବଚ୍ଛତା ଆସିବ । ଜମି ଓ ଘରକ୍ରେତାଙ୍କୁ ନ୍ୟାୟ ମିଳିବ। ଏହି ଉଦ୍ଦେଶ୍ୟରେ ୨୦୧୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ ବା ଓରେରା। କିନ୍ତୁ ଏହା ଏବେ ଅଚଳ ଅବସ୍ଥାକୁ ଚାଲି ଆସିଛି । ଗୋଟିଏ ପଟେ ଏହାର ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଅନ୍ୟପଟେ ଆସନ୍ତା ମେ ମାସରେ ପୁଣି ୨ ସଦସ୍ୟ ପଦ ଖାଲି ହେବାକୁ ଯାଉଛି। ଫଳରେ ଓରେରା ଏବେ ମୁରବୀଶୂନ୍ୟ ହୋଇଯାଇଥିଲାବେଳେ ପଞ୍ଜୀକରଣ କିମ୍ବା କୌଣସି ଆଦେଶ ହୋଇପାରୁନାହିଁ । ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀ ତଥା ଓରେରା ଅଧ୍ୟକ୍ଷ ଥିବା ସିଦ୍ଧାନ୍ତ ଦାସ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି ।
କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟିର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ସେ ନିଯୁକ୍ତି ପାଇଛନ୍ତି। ହେଲେ ଏନେଇ ସେ ଗତ ୩ ମାସ ତଳୁ ସରକାରଙ୍କୁ ନୋଟିସ୍ ଦେଇଥିଲେ ମଧ୍ୟ ସରକାର ଓରେରା ଅଧ୍ୟକ୍ଷ ପଦରେ କାହାରିକୁ ନିଯୁକ୍ତି ଦେଇନାହାନ୍ତି । ଫଳରେ ଫେବ୍ରୁଆରି ୨୮ରୁ ତାଙ୍କ ଇସ୍ତଫା ଗୃହୀତ ହେବା ପରେ ଓରେରା ଏବେ ମୁରବିଶୂନ୍ୟ। କଥା ଏତିକିରେ ସରିନି। ଅଧ୍ୟକ୍ଷଙ୍କୁବାଦ୍ ଦେଲେ ବାକି ଯେଉଁ ଦୁଇ ଜଣ ସଦସ୍ୟ ଅଛନ୍ତି ସେମାନେ ମଧ୍ୟ ମେ’ ମାସରେ ଅବସର ନେଉଛନ୍ତି ।
ମାନେ ମେ’ ମାସରେ ଓରେରାର ପୂରା ବେଞ୍ଚ ଖାଲି ହୋଇଯିବ। ନୂଆ ମାମଲା ପଞ୍ଜୀକରଣ କିମ୍ବା କୌଣସି ଆଦେଶ ପାଇଁ ଅଧ୍ୟକ୍ଷ ନଥିବାରୁ ଏବେ ଯେଉଁ ଅଧିକାରୀ ବା କର୍ମଚାରୀ ଅଛନ୍ତି, ସେମାନେ କେବଳ ଦରମା ନେବା ସହ ସରକାରୀ ଗାଡ଼ି ବ୍ୟବହାର କରିବେ, ସିନା କିଛି କାମ କରିବେ ନାହିଁ । ତେଣୁ ରିୟଲ ଇଷ୍ଟେଟ୍ ବେପାରରେ ବେଆଇନ୍ କାରବାର ବୃଦ୍ଧି ପାଇବା ଆଶଙ୍କା ବଢ଼ିଯାଇଛି । ସେପଟେ ଓଡ଼ିଶା ସ୍ଥାବର ସମ୍ପତ୍ତି ଅପିଲେଟ୍ ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ପଦ ମଧ୍ୟ ଖାଲି ପଡ଼ିଛି । ଯାହା ପୂରଣ ହେବାକୁ ୪ ମାସରୁ ଅଧିକ ସମୟ ଲାଗିବ। ଅର୍ଥାତ୍ ସେପର୍ଯ୍ୟନ୍ତ ଜମିବାଡ଼ି ଓ ଘର କିଣାବିକାରେ କୌଣସି କର୍ତ୍ତୃତ୍ବ ରହିବ ନାହିଁ ।
Follow Us